ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣା: ରିଟେଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨।୯ – ଟୁଇଟ୍‌ ପରେ ଚାଉଳ ମିଳିବା ଘଟଣାରେ ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ରିଟେଲର ଶ୍ରୀଧର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ପକ୍ଷରୁ ସମ୍ପୃକ୍ତ ରିଟେଲରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଆସନ୍ତା ୪ ତାରିଖ ମଧ୍ୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ କୁହାଯାଇଛି। ସମ୍ପୃକ୍ତ ରିଟେଲର ଏହି ପଞ୍ଚାୟତର ଅନହରପୁର ଗ୍ରାମର ପାଞ୍ଚାଳୀ ଜେନାଙ୍କୁ ଗତ ୯ ମାସ ଧରି ତାଙ୍କ ରାଶନ ଦେଉ ନ ଥିବା ନେଇ ପାଖ ଗଁାର ସନ୍ତୋଷ ମହାପାତ୍ର ଜିଲାପାଳ, ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଟୁଇଟ୍‌ର ଦେଢ଼ଘଣ୍ଟା ମଧ୍ୟରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଯୋଗାଣ ଅଧିକାରୀ, ବ୍ଲକ ଯୋଗାଣ ଅଧିକାରୀ ଓ ବିଡିଓ ଏ ନେଇ ତଦନ୍ତ କରିଥିଲେ। କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଲାଗି ସମ୍ପୃକ୍ତ ରିଟେଲର ତରବରିଆ ଭାବେ ହିତାଧିକାରୀ ପାଞ୍ଚାଳୀଙ୍କୁ ଡାକି ୯ ମାସର ଚାଉଳ ଏକକାଳୀନ ଦେଇ ହରଡ଼ଘଣାରେ ପଡ଼ିଥିଲେ। ଏକକାଳୀନ ୯ ମାସର ଚାଉଳ କାହିଁକି ଓ କିପରି ଦେଲେ ତାହାର ତଦନ୍ତ ଆରମ୍ଭ କରିଛି ପ୍ରଶାସନ। ଏପରିକି ୫ ଜଣ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୫ ଯୋଗାଣ ଅଧିକାରୀ ଏହି ପଞ୍ଚାୟତର ବିଭିନ୍ନ ଗଁାକୁ ଯାଇ ହିତାଧିକାରୀଙ୍କ ରାଶନ କାର୍ଡ ଯାଞ୍ଚ କରିଥିଲେ। ଯାଞ୍ଚରେ ପାଞ୍ଚାଳୀଙ୍କ ଭଳି ଅନ୍ୟ ଜଣେ ହିତାଧିକାରୀ କାର୍ଡ ଥାଇ ମଧ୍ୟ ରାଶନ ପାଇବାରୁ ବଞ୍ଚତ୍ତ ହେଉଥିବା ଅଧିକାରୀଙ୍କ ନଜରକୁ ଆସିଥିଲା। ଏହି ରିପୋର୍ଟ ପରେ ଜିଲାପାଳ ଶନିବାର ସମ୍ପୃକ୍ତ ରିଟେଲରଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ତାଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।