ଟୁଇଟ୍‌ ପରେ ଚାଉଳ ମିଳିବା ପ୍ରସଙ୍ଗ: ଭଗବାନପୁରରେ ସ୍ବତନ୍ତ୍ର ଟିମ୍‌ର ତଦନ୍ତ

ଭଦ୍ରକ ଅଫିସ, ୩୦।୮- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଅନହରପୁର ଗଁାରେ ପାଞ୍ଚାଳୀ ଜେନା ନାମ୍ନୀ ଜଣେ ରାଶନକାର୍ଡ ହିତାଧିକାରୀ ଦୀର୍ଘମାସ ଧରି ସାମଗ୍ରୀ ପାଉ ନ ଥିଲେ। ସେହି ଗଁାର ସନ୍ତୋଷ ମହାପାତ୍ର ନାମକ ଜଣେ ଯୁବକ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ଧାମନଗର ବିଡିଓଙ୍କୁ ଟୁଇଟ୍‌ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ। ଟୁଇଟ୍‌ର ମାତ୍ର ଦେଢ଼ଘଣ୍ଟା ମଧ୍ୟରେ ଯୋଗାଣ ମନ୍ତ୍ରୀ ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତଦନ୍ତ ପୂର୍ବକ ଧାମନଗର ବ୍ଲକ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ପାଞ୍ଚାଳୀଙ୍କୁ ୯ ମାସର ଚାଉଳ ପ୍ରଦାନ କରାଯାଇଥିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ୪ଟି ସ୍ବତନ୍ତ୍ର ଟିମ୍‌ ଉକ୍ତ ଗଁାରେ ପହଞ୍ଚିଥିଲା। ଏଥିସହ ପଞ୍ଚାୟତର ପ୍ରତି ଗଁାରେ ରାଶନ କାର୍ଡଧାରୀ ସାମଗ୍ରୀ ପାଉଛନ୍ତି କି ନାହିଁ ଏହି ଅଧିକାରୀମାନେ ଘରକୁ ଘର ବୁଲି ତଦନ୍ତ କରିଥିଲେ। ଏହି ଅଧିକାରୀମାନେ ଅନହରପୁର, ପଳିକିରି, ଗୋପାଳପୁର, ଇଚ୍ଛଦା, ମେଳଣଡିହ ଓ ଭଗବାନପୁର ଗଁାରେ ଯାଞ୍ଚ କରିଥିବା ଜଣାପଡ଼ିଛି। ଡିଲରଙ୍କ ଗୋଦାମରେ କେତେ ଚାଉଳ ଓ କିରୋସିନ ମହଜୁଦ ରହିଛି ସେ ନେଇ ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ କେତେକ ହିତାଧିକାରୀ ବାହାରେ ରହୁଥିଲେ ମଧ୍ୟ ସାମଗ୍ରୀ ଉଠାଉଥିବା ଜଣାପଡ଼ିଥିଲା। ଏପରିକି ଜଣଙ୍କ ନଁାରେ ଅନ୍ୟ ଜଣେ(ଅଫ୍‌ଲାଇନ) ମାଧ୍ୟମରେ ସାମଗ୍ରୀ ନେଉଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ। ତେବେ ଶୁକ୍ରବାର ଜିଲାପାଳଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଅଧିକାରୀମାନେ କହିଥିଲେ। ରିପୋର୍ଟ ଲେଖା ଯିବା ସୁଦ୍ଧା ଗଁାରେ ତଦନ୍ତ ଜାରି ରହିଥିଲା।
ଗୋଦାମଗୃହ ନିକଟରେ ସହକାରୀ ଜିଲାପାଳ ବାସନ୍ତୀ କୁମାରୀ ସାମଲ ଓ ସଦର ସହକାରୀ ଯୋଗାଣ ନିରୀକ୍ଷକ ମାନସ ରଞ୍ଜନ ମହାପାତ୍ର ଯାଞ୍ଚ କରିଥିଲେ। ରାଶନ କାର୍ଡ ଯାଞ୍ଚ ପ୍ରକ୍ରିୟାରେ ମିନାକ୍ଷୀ ଦାସ, ଅଶୋକ ବେହେରା, ଶରତ କୁମାର ସ୍ବାଇଁ, ବାବୁଲାଲ ବାରିକ, ଅଭିପ୍ସା ପଟ୍ଟନାୟକ, ଅନୀବସନ୍ତ ସାହୁ, ଲଗ୍ନଜିତ୍‌ ବେହେରା ଓ ରେବତୀ ନାୟକ ପ୍ରମୁଖ ଘର ଘର ବୁଲି ଯାଞ୍ଚ କରିଥିଲେ। ଏହି ଟିମ୍‌ର ଚୂଡ଼ାନ୍ତ ରିପୋର୍ଟ ମିଳିବା ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି।

Share