ଟୁର୍‌ ଅପରେଟର୍‌ କରିପାରିବେ ଓଡ଼ିଶା ପର୍ଯ୍ୟଟନ ସମ୍ପଦର ପ୍ରଦର୍ଶନ

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ):  ଓଡ଼ିଶା ପର୍ଯ୍ୟଟନ ସମ୍ପଦରେ ଭରପୂର। ଏଗୁଡ଼ିକର ଯଥାର୍ଥ ପ୍ରଦର୍ଶନ ଓ ବିପଣନ ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ଦିଗରେ ଦେଶ ଓ ବିଦେଶର ଟୁର୍‌ ଅପରେଟର୍‌ମାନେ ଓଡ଼ିଶା ପ୍ରତି ଅଧିକ ଯତ୍ନବାନ ହେବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ବୁଧବାର ସନ୍ଧ୍ୟାରେ ‘ଓଡ଼ିଶା ଟ୍ରାଭେଲ୍‌ ବଜାର’ର ତୃତୀୟ ସଂସ୍କରଣରେ ବୈଷୟିକ ଓ ବ୍ୟବସାୟିକ ଅଧିବେଶନ ଆରମ୍ଭ ହୋଇଛି। ମନ୍ତ୍ରୀ ପାଣିଗ୍ରାହୀ କହିଲେ, ବିମାନ ସେବାରେ ଅଭିବୃଦ୍ଧି ସାଙ୍ଗକୁ ଓଡ଼ିଶାରେ ରହିଥିବା ପର୍ଯ୍ୟଟନ ସମ୍ପଦଗୁଡ଼ିକର ଉପଯୁକ୍ତ ପ୍ରଦର୍ଶନ ଓ ବିପଣନ କେବଳ ଟୁର ଅପରେଟରଙ୍କ ଦ୍ୱାରା ବିଶେଷ ଭାବରେ ସମ୍ପାଦନ ହୋଇପାରିବ।
ଦେଶର ୧୯ ସହରରୁ ଟୁର୍‌ ଅପରେଟର୍‌ମାନେ ଏହି ସମାବେଶରେ ଯୋଗଦେଇଛନ୍ତି। ଏହି ଅବସରରେ ରାଜ୍ୟରେ ପର୍ଯ୍ୟଟନ ସମ୍ପଦର ବିକାଶ ପାଇଁ ‘ଫିକି’ ଉଦ୍ୟମ ଅବ୍ୟାହତ ରଖିଛି ବୋଲି ସଂସ୍ଥାର ଜାତୀୟ ପର୍ଯ୍ୟଟନ କମିଟି ଉପାଧ୍ୟକ୍ଷ ଜେ. କେ. ମହାନ୍ତି ସୂଚନା ଦେଇଥିଲେ। ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‌ ଯାଦବ, ରାଜ୍ୟ ଜଙ୍ଗଲ ବିଭାଗ ଅତିରିକ୍ତ ପ୍ରମୁଖ ମୁଖ୍ୟ ବନସଂରକ୍ଷକ ଶଶି ପାଲ, ଓଡ଼ିଶା ପର୍ଯ୍ୟଟନ ନିଗମ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସଏ, ‘ଫିକି’ ପୂର୍ବାଞ୍ଚଳ କାର୍ଯ୍ୟକର୍ତ୍ତା ସୌଭାଗ୍ୟ ମହାପାତ୍ର ବକ୍ତବ୍ୟ ରଖିଥିଲେ। ପଦ୍ମଶ୍ରୀ ଡ. ଅରୁଣା ମହାନ୍ତି ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ସମେତ ପୁରୀର ଗୋଟିପୁଅ ଓ ସୋନପୁରର ଶଙ୍କର ନାଗ ଓ ସାଥୀଙ୍କ ଦ୍ୱାରା ‘ରଙ୍ଗବତୀ’ ପରିବେଷିତ ହୋଇଥିଲା। ଗୁରୁବାରଠାରୁ ରାଜ୍ୟର ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ହୀରକ ତ୍ରିଭୁଜ ଓ ଜନଜାତି ପର୍ଯ୍ୟଟନ ଉପରେ ଆଲୋଚନା ହେବ। ବିଭିନ୍ନ ବୁଥ୍‌ ମାଧ୍ୟମରେ ପ୍ରାୟ ୨୪୦୦ ପ୍ରାକ୍‌ ପ୍ରାୟୋଜିତ ବ୍ୟବସାୟିକ ଆଲୋଚନା ହୋଇପାରିବ ବୋଲି ଆଶା କରାଯାଉଛି।

Share