ଟେକ୍ନୋଲୋଜି, ସ୍ବୟଂକ୍ରିୟ ବ୍ୟବସ୍ଥାରେ ଧାନ ସଂଗ୍ରହ ତ୍ବରାନ୍ବିତ କରାଯାଇଛି:ମନ୍ତ୍ରୀ

ଭୁବନେଶ୍ୱର,୧୮ା୬(ବ୍ୟୁରୋ): ୨୦୧୯-୨୦ ଖରିଫ, ରବିଧାନ ସଂଗ୍ରହରେ ଟେକ୍ନୋଲୋଜି ବ୍ୟବହାର ଏବଂ ସ୍ବୟଂକ୍ରିୟ ବ୍ୟବସ୍ଥାର ଉପଯୋଗ କରି ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି। ଧାନ ବିକ୍ରି ନିମନ୍ତେ ଅନ୍‌ଲାଇନରେ ଚାଷୀଙ୍କ ନାମ ପଞ୍ଜୀକରଣ, ପି-ପାସ୍‌ ଏବଂ ଆଗୁଆ ଟୋକନ୍‌ ମାଧ୍ୟମରେ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ସଂଗ୍ରହ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଗତବର୍ଷ ୬୫.୫୦ଲକ୍ଷ ମେଟ୍ରିକ୍‌ ଟନ୍‌ ତୁଳନାରେ ଚଳିତ ବର୍ଷ ଅଦ୍ୟାବଧି ୬୭.୫୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଛି। କରୋନା ଯୋଗୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ବ ଆଦିକୁ କଡ଼ାକଡ଼ି ପାଳନ କରାଯାଇ ଧାନ ସଂଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି। ସରକାରଙ୍କ ପକ୍ଷରୁ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ୧୦ ଲକ୍ଷ ମେଟ୍ରିକ୍‌ ଟନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୨୬ ହଜାର ୬୫୨ ମେଟ୍ରିକ୍‌ ଟନ ସଂଗ୍ରହ କରାଯାଇଛି। ଯାହା ଗତବର୍ଷ ଆଜି ତାରିଖ ତୁଳନାରେ ୩୨ ପ୍ରତିଶତ ଅଧିକ। ଗତବର୍ଷ ତୁଳନାରେ ପ୍ରାୟ ୨୦ ପ୍ରତିଶତରୁ ଊର୍ଦ୍ଧ୍ୱ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି ।

Share