Categories: ଖେଳ

ଟେନିସରୁ ଓଜନିଆକିଙ୍କ ଅବସର

ମେଲବୋର୍ନ,୨୪।୧(ଏଏଫ୍‌ପି)- କାରୋଲିନା ଓଜନିଆକିଙ୍କ ଉଜ୍ଜ୍ୱଳମୟ ଟେନିସ କ୍ୟାରିୟର ଅଷ୍ଟ୍ରେଲିଆନ ଓପନରେ ଶେଷ ହୋଇଛି। ଶୁକ୍ରବାର ନିମ୍ନ ର଼୍ୟାଙ୍କଧାରୀ ଟୁନିସିଆ ଖେଳାଳି ଓନ୍ସ ଜାବେଙ୍କଠାରୁ ୭-୫, ୩-୬, ୭-୫ ସେଟ୍‌ରେ ପରାଜୟ ସହ ଓଜନିଆକି ଅନ୍ତର୍ଜାତୀୟ ଟେନିସରୁ ବିଦାୟ ନେଇଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଡେନମାର୍କ ଖେଳାଳି ଗତ ଡିସେମ୍ବରରେ ଅଷ୍ଟ୍ରେଲିଆନ ଓପନ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ହେବ ବୋଲି ଘୋଷଣା କରିଥିଲେ। ୨୯ ବର୍ଷୀୟା ଓଜନିଆକି କ୍ୟାରିୟରରେ ୩୦ ଡବ୍ଲ୍ୟୁଟିଏ ଓ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ୨୦୧୮ରେ ଏଠାରେ ହିଁ ପ୍ରଥମ ଓ ଅନ୍ତିମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିଥିଲେ। ତିନି ସେଟ ବିଶିଷ୍ଟ ମ୍ୟାଚ୍‌ ଓ ତ୍ରୁଟିପୂର୍ଣ୍ଣ ଫୋରହ୍ୟାଣ୍ଡ ଶଟ୍‌ ସହ ମୁଁ କ୍ୟାରିୟର ଶେଷ କରିଛି। କୋର୍ଟରେ ମୋର ଅବିଶ୍ୱସନୀୟ ଅଭିଜ୍ଞତା ରହିଛି। ମୋତେ ପ୍ରଶଂସକ ଓ ପରିବାରର ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା। କୋର୍ଟରେ ବହୁତ ସ୍ମୃତି ରହିଛି, ଯାହା ମୋର ଶେଷ ପର୍ଯ୍ୟନ୍ତ ମନେ ରହିବ ବୋଲି ଭାବବିହ୍ବଳ ହୋଇ ଓଜନିଆକି ମ୍ୟାଚ୍‌ ପରେ କହିଛନ୍ତି।

Share