Posted inଖେଳ

ଟେନିସ୍‌ର ମହାନାୟକ

ବିଶ୍ୱ ଟେନିସ୍‌ର ମହାନାୟକ ଭାବରେ ନୂତନ ପରିଚୟ ସୃଷ୍ଟି କରିଛନ୍ତି ନୋଭାକ୍‌ ଜୋକୋଭିଚ୍‌। ଏକଦା ଟେନିସ୍‌ରେ ପିଟ୍‌ ସାମ୍ପ୍ରାସଙ୍କ ୧୪ ଗ୍ରାଣ୍ଡସ୍ଲାମର ରେକର୍ଡର କେହି ସମକକ୍ଷ ହେବା ସ୍ବପ୍ନ ପରି ଲାଗୁଥିଲା। ପ୍ରଥମେ ରୋଜର ଫେଡେରର ଏହି ରେକର୍ଡ ଭାଙ୍ଗିଥିଲେ। ଫେଡେରର ୨୦ ଗ୍ରାଣ୍ଡସ୍ଲାମ ସହିତ ଅବସର ନେବା ପରେ ତାଙ୍କୁ ହିଁ ଓପନ୍‌ ଏରାର ମହାନାୟକ ଭାବରେ ବିବେଚନା କରାଯାଉଥିଲା। ରାଫାଲ ନାଡାଲ ୨୨ଟି ଗ୍ରାଣ୍ଡସ୍ଲାମ ବିଜୟୀ ହୋଇ ରେକର୍ଡର ଅଧିକାରୀ ଥିଲେ। ଏବେ ୨୩ ଗ୍ରାଣ୍ଡସ୍ଲାମ ଟ୍ରଫି ହାସଲ କରିବା ସହିତ ନାଡାଲଙ୍କୁ ପଛରେ ପକାଇଛନ୍ତି ସର୍ବିୟାର ଜୋକୋଭିଚ୍‌। ଓପନ୍‌ ଏରାରେ ଜୋକୋଭିଚ୍‌ ନିଜକୁ ସବୁଠାରୁ ସଫଳ ବୋଲି ପ୍ରମାଣିତ କରିଛନ୍ତି। ନାଡାଲ ୨୨ ଟାଇଟଲ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ନାଡାଲ ନିଜ ୨୨ ଟାଇଟଲ ମଧ୍ୟରୁ ୧୪ ଥର କେବଳ ଫ୍ରେଞ୍ଚ ଓପନ ବିଜୟୀ ହୋଇଛନ୍ତି। ଅନ୍ୟ ପକ୍ଷରେ ଜୋକୋଭିଚ୍‌ଙ୍କ ପାଇଁ ସବୁଠୁ ସଫଳତମ ଟୁର୍ନାମେଣ୍ଟ ରହିଛି ଅଷ୍ଟ୍ରେଲିଆନ୍‌ ଓପନ୍‌। ୨୩ତମ ଗ୍ରାଣ୍ଡସ୍ଲାମ ମଧ୍ୟରେ ଜୋକୋଭିଚ୍‌ ୩ଥର ଲେଖାଏ ୟୁଏସ୍‌ ଓପନ ଓ ଫ୍ରେଞ୍ଚ୍‌ ଓପନ ବିଜୟୀ ହୋଇଥିବା ବେଳେ ୭ଥର ଓ୍ବିମ୍ବେଲଡନ୍‌ ଓ ୧୦ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଛନ୍ତି। ୨୩ ଗ୍ରାଣ୍ଡସ୍ଲାମ ବିଜୟୀ ହେବା ପରେ ଜୋକୋଭିଚ୍‌ ଅନାୟାସରେ ନିଜକୁ ଟେନିସ୍‌ ଇତିହାସର ସଫଳତମ ଖେଳାଳି ଭାବରେ ପ୍ରମାଣିତ କରିଛନ୍ତି। ଚଳିତ ସିଜନର ଫ୍ରେଞ୍ଚ ଓପନ ବିଜୟୀ ହେବା ପରେ ଜୋକୋଭିଚ୍‌ କହିଛନ୍ତି, ତାଙ୍କୁ ଟେନିସ୍‌ର ସଫଳତମ ଖେଳାଳି କହିବା ଅନ୍ୟ ମହାନ୍‌ ଖେଳାଳିଙ୍କ ଅସମ୍ମାନ। ତେଣୁ ସେ ନିଜକୁ ଏହି ତର୍କରୁ ଦୂରେଇ ରଖିବାକୁ ଚାହାନ୍ତି। ପ୍ରତିପକ୍ଷ ଖେଳାଳିଙ୍କୁ କେବଳ କୋର୍ଟ ମଝିରେ ନିଜ ଶକ୍ତି ଓ ସାମର୍ଥ୍ୟ ବଳରେ ପରାସ୍ତ କରିବାରେ ଜୋକୋଭିଚ୍‌ ବିଶ୍ୱାସ ରଖନ୍ତି ନାହିଁ। ଅନେକ ସ୍ଥାନରେ ସେ ନିଜର ମାନସିକ ଦୃଢ଼ତା କାରଣରୁ ମ୍ୟାଚ୍‌ ଜିତିବାରେ ସଫଳ ହୋଇଥାନ୍ତି। ଜୋକୋଭିଚ୍‌ ନିଜ କ୍ୟାରିୟରରେ ୩୪୮ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୩୪ଟି ମେଜର ଫାଇନାଲରେ ଅବତୀର୍ଣ୍ଣ ହୋଇଛନ୍ତି। ୩୫ ବର୍ଷ ବୟସରେ ଫ୍ରେଞ୍ଚ ଓପନ ଜିତିବା ସହିତ ବୟସ୍କ ଖେଳାଳି ଭାବେ ରୋଲାଣ୍ଡ ଗ୍ୟାରସ୍‌ରେ ଟାଇଟଲ ଉଠାଇଛନ୍ତି ଏହି ସର୍ବୀୟ ଖେଳାଳି। ୨୩ ଟାଇଟଲ ମଧ୍ୟରେ ସେ ଅନେକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଖେଳିଛନ୍ତି। ଅନେକ ଖେଳାଳିଙ୍କ ସହିତ ତାଙ୍କର ମୁକାବିଲା ବେଶ୍‌ ଜଣାଶୁଣା। ସେମିତି କିଛି ରାଇଭାଲରୀ (ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୁକାବିଲା) ଉପରେ ଏକ ପ୍ରସ୍ତୁତି…

ବନାମ ରାଫାଲ୍‌ ନାଡାଲ
ମ୍ୟାଚ୍‌ ୫୯ (୩୦-୨୯): ରାଫାଲ ନାଡାଲଙ୍କ ସହିତ ଜୋକୋଭିଚ୍‌ଙ୍କ ରାଇଭାଲରୀ
ବେଶ୍‌ ଜଣାଣୁଣା। ଉଭୟ ଖେଳାଳି ପରସ୍ପରକୁ ସମ୍ମାନ ଦେଉଥିବା ବେଳେ ୩୦-୨୯ର ବିଜୟ ରେକର୍ଡ ସହିତ ଜୋକୋଭିଚ୍‌ ଆଗରେ ରହିଛନ୍ତି। ହାର୍ଡ କୋର୍ଟରେ ଜୋକୋଭିଚ୍‌ ୨୦-୭ରେ ଆଗୁଆ ରହିଥିବା ବେଳେ କ୍ଲେ କୋର୍ଟରେ ନାଡାଲ ୨୦-୮ରେ ଆଗୁଆ ଅଛନ୍ତି। ଅନ୍ୟ ପକ୍ଷରେ ଗ୍ରାସ୍‌ କୋର୍ଟରେ ଉଭୟ ଖେଳାଳିଙ୍କ ରେକର୍ଡ ୨-୨ ରହିଛି। କ୍ଲେ କୋର୍ଟର କିଙ୍ଗ୍‌ ଭାବେ ପରିଚିତ ନାଡାଲଙ୍କୁ ସର୍ବାଧିକ ଥର ପରାସ୍ତ କରିବାର ରେକର୍ଡ ଜୋକୋଭିଚଙ୍କ ନାମରେ ରହିଛି। ଉଭୟ ଏକାଧିକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରସ୍ପରକୁ ସାମ୍ନା କରିଥିବା ବେଳେ ୨୦୧୨ରେ ୫ ସେଟ୍‌ ବିଶିଷ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ ଏହା ମଧ୍ୟରୁ ଅନ୍ୟତମ। ୫ ଘଣ୍ଟା ୫୩ ମିନିଟ ଧରି ଚାଲିଥିବା ଏହି ମ୍ୟାଚକୁ ଜୋକୋଭିଚ୍‌ ଜିତି ନେଇଥିଲେ।

ବନାମ ରୋଜର ଫେଡେରର
ମ୍ୟାଚ୍‌ ୫୦ (୨୭-୨୩): ଟେନିସର ଅନ୍ୟତମ ସୁପରଷ୍ଟାର ସ୍ବିସ୍‌ ତାରକା ରୋଜର ଫେଡେରରଙ୍କ ସହିତ ଜୋକୋଭିଚ୍‌ଙ୍କ ରାଇଭାଲରୀ ବେଶ ପୁରୁଣା। ଉଭୟ ୫୦ ଥର ମୁହାଁମୁହିଁ ହୋଇଥିବା ବେଳେ ୨୭ ଥର ବିଜୟୀ ହୋଇଛନ୍ତି ଜୋକୋଭିଚ୍‌। ୧୯ ଥର ଫାଇନାଲରେ ଉଭୟ ଖେଳାଳି ପରସ୍ପରକୁ ଭେଟିଥିବା ବେଳେ ବିଜୟ ରେକର୍ଡ ୧୩ ଥର ଫେଡେରରଙ୍କ ସପକ୍ଷରେ ରହିଛି। ୨୦୧୯ ମସିହାରେ ଉଭୟଙ୍କ ମଧ୍ୟରେ ଖେଳାଯାଇଥିବା ଓ୍ବିମ୍ବେଲଡନ ୨୦୧୯ର ଫାଇନାଲ ଟୁର୍ନାମେଣ୍ଟ ଇତିହାସର ସବୁଠୁ ଦୀର୍ଘତମ ମ୍ୟାଚ ରହିଛି।

ବନାମ ଆଣ୍ଡି ମୁରେ
ମ୍ୟାଚ୍‌ ୩୬ (୨୫-୧୧): ବ୍ରିଟେନ୍‌ର ଆଣ୍ଡି ମୁରେଙ୍କ ସହିତ ଜୋକୋଭିଚ୍‌ ୩୬ ମ୍ୟାଚ୍‌ ଖେଳିଥିବା ବେଳେ ୨୫ଟିରେ ଫଳାଫଳ ତାଙ୍କ ସମପକ୍ଷରେ ଯାଇଛି। ଉଭୟ ଖେଳାଳି ସମାନ ବୟସର ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌କୁ ଜିତିଥିଲେ ମୁରେ। ହାର୍ଡ କୋର୍ଟରେ ଜୋକୋଭିଚ ୨୦-୮ ଓ କ୍ଲେ କୋର୍ଟରେ ୫-୧ରେ ଆଗୁଆ ଅଛନ୍ତି। ଅନ୍ୟ ପକ୍ଷରେ ଗ୍ରାସ୍‌ କୋର୍ଟରେ ୨-୦ରେ ଆଗୁଆ ଅଛନ୍ତି ଆଣ୍ଡି ମୁରେ। ସାଂଘାଇ ମାଷ୍ଟର୍ସରେ ମୁରେଙ୍କ ୧୨ ମ୍ୟାଚର ବିଜୟଧାରା ଶେଷ କରିଥିଲେ ଜୋକୋଭିଚ୍‌। ଏହା ବ୍ୟତୀତ ଉଭୟ ଖେଳାଳି ୨୦୧୨ ୟୁଏସ୍‌ ଓପନ୍‌ ଫାଇନାଲରେ ପରସ୍ପର ସହିତ ଖେଳିଥିଲେ।

ବନାମ ଷ୍ଟାନ୍‌ ଓ୍ବାରିଙ୍କା
ମ୍ୟାଚ୍‌ ୨୬(୨୦-୬): ସ୍ବିଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କ ବିପକ୍ଷରେ ଜୋକୋଭିଚ୍‌ ୨୬ ମ୍ୟାଚ୍‌ ଖେଳି ୨୦ ବିଜୟ ହାସଲ କରିଛନ୍ତି। ଉଭୟ ଖେଳାଳିଙ୍କ ମଧ୍ୟରେ ୫ ଥର ୫ ସେଟ୍‌ବିଶିଷ୍ଟ ଫାଇନାଲ ଦେଖିବାକୁ ମିଳିଥିଲା। ମେଜର ଟୁର୍ନାମେଣ୍ଟରେ ଜୋକୋଭିଚ୍‌ଙ୍କ ୧୪ ମ୍ୟାଚ୍‌ର ବିଜୟଧାରା ଶେଷ କରିଥିଲେ ଓ୍ବାରିଙ୍କା। ୨୦୧୪-୨୦୨୦ ମଧ୍ୟରେ ଜୋକୋଭିଚ୍‌ ୧୩ଟି ମେଜର ଟାଇଟଲ୍‌ ହାସଲ କରିଥିଲେ। ଏହା ମଧ୍ୟରେ ସେ କେବଳ ଓ୍ବାରିଙ୍କାଙ୍କ ନିକଟରୁ ଦୁଇ ଥର ପରାଜିତ ହୋଇଥିଲେ।
-ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri