Categories: ଖେଳ

ଟେଲରଙ୍କ ସ୍ବତନ୍ତ୍ର ରେକର୍ଡ

ଓ୍ବେଲିଂଟନ,୨୧।୨(ପି.ଟି.)- ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇ ଇତିହାସ ରଚିଛନ୍ତି। ପ୍ରତ୍ୟେକ ଫର୍ମାଟରେ ୧୦୦ ମ୍ୟାଚ୍‌ ଖେଳିବାରେ ସେ ବିଶ୍ୱର ପ୍ରଥମ ଖେଳାଳି। ଚଳିତ ଓ୍ବେଲିଂଟନ ଟେଷ୍ଟ ଟେଲରଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ। ତାଙ୍କୁ ନ୍ୟୁଜିଲାଣ୍ଡ ଉଇକେଟକିପର ଇଆନ ସ୍ମିଥ ମ୍ୟାଚ୍‌ ପୂର୍ବରୁ କ୍ୟାପ ପ୍ରଦାନ କରିଥିଲେ। ଟେଲରଙ୍କ ପୂର୍ବରୁ ଷ୍ଟିଫେନ ଫ୍ଲେମିଂ, ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଡାନିଏଲ ଭିଟୋରି ଦେଶ ପାଇଁ ୧୦୦ ଟେଷ୍ଟ ଖେଳିସାରିଛନ୍ତି। ୩୫ ବର୍ଷୀୟ ଟେଲର ଗତମାସରେ ଭାରତ ବିପକ୍ଷରେ କ୍ୟାରିୟରର ୧୦୦ତମ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଦିନିକିଆ ଫର୍ମାଟରେ ସେ ୨୩୧ ମ୍ୟାଚ୍‌ ଖେଳିସାରିଲେଣି। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଦେଶ ପାଇଁ ସର୍ବାଧିକ ରନ୍‌ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ସେ ଟେଷ୍ଟରେ ୭୧୭୪ ଓ ଦିନିକିଆ ୮୫୭୦ ରନ୍‌ କରିଛନ୍ତି। ଟି୨୦ରେ ସେ ୧୯୦୯ ରନ୍‌ କରିସାରିଛନ୍ତି। ଟେଲର ୨୦୦୭ରେ ଟେଷ୍ଟ ପର୍ଦାପଣ କରିଥିଲେ। ସେହିବର୍ଷ ହିଁ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

Share