Categories: ବାଣିଜ୍ୟ

ଟେଲିକମ ସେକ୍ଟର ପାଇଁ ରିଲିଫ୍‌ ପ୍ୟାକେଜ ସପକ୍ଷରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୯-୬: ସଙ୍କଟଗ୍ରସ୍ତ ଟେଲିକମ୍‌ ସେକ୍ଟରକୁ ଉଦ୍ଧାର କରିବା ଲାଗି ବଜେଟରେ ଲାଇସେନ୍ସ ଫି ହ୍ରାସ ସହ ଏକ ସିରିଜ ରିଲିଫ୍‌ ପ୍ୟାକେଜ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏଥିସହିତ ଟେଲିକମ ସେକ୍ଟର ପାଇଁ ଜିଏସ୍‌ଟି ହାରକୁ ୧୮ରୁ ୧୨%କୁ ହ୍ରାସ କରାଯିବା ଉଚିତ୍‌। ଏହାର ସୁଫଳ ପରୋକ୍ଷରେ ଗ୍ରାହକ ହିଁ ପାଇବେ ବୋଲି ସେ କହିଛନ୍ତି। ତାଙ୍କ ମତରେ ତେବେ ଜିଏସ୍‌ଟି କାଉନସିଲକୁ ଏ ଦିଗରେ ନିଷ୍ପତ୍ତି ନେବାକୁ ହେବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଟେଲିକମ୍‌ କମ୍ପାନୀଙ୍କ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଉଥିବା ଲାଇସେନ୍ସ ଫି’୨୫% ହ୍ରାସ କରାଯିବା ଆବଶ୍ୟକ ବୋଲି ସେ ସୁପାରିସ୍‌ କରିଛନ୍ତି। ସରକାର ବର୍ତ୍ତମାନ ୟୁନିଭର୍ସାଲ ସର୍ଭିସେସ୍‌ ଓବ୍ଲିଗେଶନ ଫଣ୍ଡ ବାବଦରେ ୮% ଲାଇସେନ୍ସ ଫି ନେଉଥିବା ବେଳେ ଏଥିରେ ୨% ହ୍ରାସ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ଇନ୍‌ପୁଟ କ୍ରେଡିଟ ବାବଦରେ ସରକାରଙ୍କ ନିକଟରେ ପଡ଼ି ରହିଥିବା ୩୦ ହଜାର କୋଟି ଟଙ୍କାକୁ ଫେରାଇ ଦେବାକୁ ପ୍ରସ୍ତାବରେ କୁହାଯାଇଛି। ସୂଚନାଥାଉ କି, ଲାଇସେନ୍ସ ଫି ହ୍ରାସ ହେବା ଦ୍ୱାରା ଭାରତୀ ଏୟାରଟେଲ ଓ ଭୋଡ଼ାଫୋନ ଆଇଡିଆ ଭଳି ଟେଲିକମ୍‌ କମ୍ପାନୀଙ୍କୁ ଫାଇଦା ମିଳିବ ଏବଂ ସେମାନଙ୍କ ନିକଟରେ ବଳକା ନଗଦ ରହିବ। ଏବେ ଭାରି ଋଣ କାରଣରୁ ଏହି ଦୁଇଟି କମ୍ପାନୀର କ୍ଷତିର ପରିମାଣ ବଢ଼ିବାରେ ଲାଗିଛି। ସେହିପରି ଆଜିର ଯୁଗରେ ମୋବାଇଲ ଫୋନ ଅପରିହାର୍ଯ୍ୟ ହୋଇଥିବା ବେଳେ ଏଥିରୁ ୧୨% ଜିଏସ୍‌ଟି ଆଦାୟ ହେଉଛି। ଅନ୍ୟପକ୍ଷରେ ମୋବାଇଲ ସେବା ପାଇଁ ୧୮% ଚାର୍ଜ ନିଆଯାଉଛି। ଏପରିପ୍ରେକ୍ଷୀରେ ଜିଏସ୍‌ଟି ହ୍ରାସ ଦ୍ୱାରା ଦେଶର ପ୍ରାୟ ୧୨୦ କୋଟି ଗ୍ରାହକ ଉପକୃତ ହେବେ।

Share