ଟେଲିଭିଜନ କୁଇନ୍‌ ଏକତା ପାଇବେ ପଦ୍ମଶ୍ରୀ, କରିସାରିଲେଣି ୧୩୦ରୁ ଅଧିକ ଧାରାବାହିକ

ବମ୍ବେ: ପ୍ରଯୋଜିକା ତଥା ଟେଲିଭିଜନ କୁଇନ ଏକତା କପୁର ପାଇବେ ପଦ୍ମଶ୍ରୀ ପୁରସ୍କାର। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ବଲିଉଡ ଫିଲ୍ମ ଛଡ଼ା ହିନ୍ଦି ଧାରାବାହିକ ପ୍ରଯୋଜନା କ୍ଷେତ୍ରରେ ଏକତା ପରିଚିତ ନାମ। କହିବାକୁ ଗଲେ ଏକ ବ୍ରାଣ୍ଡ। ଇତି ମଧ୍ୟରେ ଏକତା ୧୩୦ରୁ ଅଧିକ ଧାରାବାହିକ ନିର୍ମାଣ କରିଛନ୍ତି। ତନ୍ମଧ୍ୟରୁ ‘କ୍ୟୁକି ସାସ୍‌ ଭି କଭି ବହୁ ଥି’, ‘କାହାନି ଘର ଘର କି’, ‘ମୋହବତେଁ’, ୟେ ରିସ୍ତା କ୍ୟା କହଲାତା ହେ’ ଭଳି ଧାରାବାହିକ ତାଙ୍କୁ ପରିଚୟ ଦେଇଛି।

ପଦ୍ମଶ୍ରୀ ସମ୍ମାନ ମିଳିବା ବାସ୍ତବରେ ଏକ ବଡ଼ ଉପଲବ୍ଧି। ଏହି ଖୁସି ଅବସରରେ ଏକତା ସୋଶିଆଲ ପୃଷ୍ଠାରେ ନିଜ ମନ କଥା ଲେଖିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ସେ ଫିଲ୍ମଜଗତରେ ନିଜର ଡେବ୍ୟୁ କରିଥିଲେ। ସେତେବେଳେ ଛୋଟ ପିଲା ବୋଲି ତାଙ୍କୁ ସମସ୍ତେ ଭାବୁଥିଲେ। ହେଲେ ପରେ ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଗାମୀ ଦିନରେ ମଧ୍ୟ ସେ ନିଜର କଳାକୁ ପ୍ରଦର୍ଶିତ କରିବେ। ନୂଆ ଅଭିନେତା/ଅଭିନେତ୍ରୀମାନଙ୍କୁ ସୁଯୋଗ ଦେବେ ବୋଲି କହିଛନ୍ତି। ଏ ନେଇ ତାଙ୍କୁ ବନ୍ଧୁ, ପରିଜନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି।

Share