‘ଟେଷ୍ଟିଂ ଅଭିଯାନରେ ସବୁ ଦଳ ଲୋକଙ୍କୁ ସାମିଲ କରାଯାଉ’

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଲୋକଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ କରାଯାଇ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଗ୍ରାମାଞ୍ଚଳରେ ଲୋକଙ୍କ ମନରେ କରୋନା ପ୍ରତି ଭୟ ଓ ଭ୍ରାନ୍ତ ଧାରଣା ଥିବାରୁ ଲୋକମାନେ ଟେଷ୍ଟିଂ କରିବାକୁ ଆସୁନାହାନ୍ତି। ବ୍ୟବସ୍ଥା ସତ୍ତ୍ୱେ ନାଗରିକମାନେ ଟେଷ୍ଟିଂ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି, ଯାହା ଚିନ୍ତାଜନକ ବିଷୟ। ମେ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି। ସରକାର ବ୍ୟବସ୍ଥା କରିବେ, ହେଲେ କେବଳ ବ୍ୟବସ୍ଥା କରିବା ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ଲୋକଙ୍କୁ ଏକାଠି କରି ପହଞ୍ଚାଇବା ପାଇଁ ପଡ଼ିବ। ଓ଼ଡ଼ିଆଙ୍କ ଦାୟିତ୍ୱ ସବୁ ଭେଦଭାବକୁ ଭୁଲି ଏ ଜଟିଳ ପରିସ୍ଥିତିକୁ ସମାଜରୁ ବାହାର କରିବା ପାଇଁ ଟ୍ରେସିଂ, ଟେଷ୍ଟିଂ ଏବଂ ଟ୍ରିଟ୍‌ମେଣ୍ଟକୁ ପ୍ରାଥମିକତା ଦେବା ପାଇଁ ପଡ଼ିବ। ଦେଶର ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳ ଧୀରେ ଧୀରେ କରୋନାର ସ୍ଥିତାବସ୍ଥା ସୁଧୁରୁଛି। ଦକ୍ଷିଣାଞ୍ଚଳରେ ଏବେ କରୋନା ରୂପ ଦେଖାଉଛି। ସରକାର, ସାମାଜିକ ସଙ୍ଗଠନ, ନାଗରିକମାନେ ଏଭଳି ଅଭାବନୀୟ ସ୍ଥିତିକୁ ସାମ୍ନା କରିବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପାରାମେଡିକାଲ, ପୋଲିସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଲୋକମାନେ ସମସ୍ତେ ଏହି ସମୟରେ ସେବା ଯୋଗାଇ ଆସୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Share