Categories: ଖେଳ

ଟେଷ୍ଟ ସିରିଜ୍‌ ପୋଛିଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨ା୩- ତାରକା ଖଚିତ ଭାରତୀୟ ଦଳ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ନ୍ୟୁଜିଲାଣ୍ଡ ପୋଛି ନେଇଛି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ମାତ୍ର ୩ ଦିନରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ୭ ଉଇକେଟରେ ଜିତି ନେଇଛି। ମ୍ୟାଚ୍‌ରେ ୫ ଉଇକେଟ ସଫଳତା ସହ ଉପଯୋଗୀ ଇନିଂସ ଖେଳିଥିବା କାଇଲ ଜେମିସନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ଟିମ୍‌ ସୌଦି ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଛନ୍ତି।
ପ୍ରଥମ ଇନିଂସରେ ଭାରତୀୟ ଦଳ ୨୪୨ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୩୫ ରନ୍‌ରେ ସୀମିତ ରହିଥିଲା। ଫଳରେ ୭ ରନ୍‌ର ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ତା’ର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୯୦/୬ରୁ ବ୍ୟାଟିଂ ଆରମ୍ଭ କରି ସୋମବାର ପ୍ରାରମ୍ଭିକ ଏକ ଘଣ୍ଟା ମଧ୍ୟରେ ୧୨୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଘରୋଇ ଦଳର ଟ୍ରେଣ୍ଟ ବୋଲ୍ଟ ୪ ଓ ଟିମ୍‌ ସୌଦି ୩ ଉଇକେଟ ନେଇଥିଲେ। ଏଥିଯୋଗୁ ନ୍ୟୁଜିଲାଣ୍ଡ ଆଗରେ ୧୩୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଟମ୍‌ ଲଥାମ (୫୨) ଓ ଟମ ବ୍ଲୁଣ୍ଡେଲ (୫୫)ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଘରୋଇ ଦଳ ୩୬ ଓଭରରେ ୩ ଉଇକେଟ ହରାଇ  ବିଜୟ ଲକ୍ଷ୍ୟ ହାସଲ କରି ମ୍ୟାଚ୍‌ ସହ ସିରିଜ୍‌କୁ ୨-୦ରେ ଜିତି ନେଇଥିଲା। ଏହି ବିଜୟ ଯୋଗୁ ନ୍ୟୁଜିଲାଣ୍ଡ ୧୨୦ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ପକେଟସ୍ଥ କରିଛି। ଫଳରେ ନ୍ୟୁଜିଲାଣ୍ଡ ପଏଣ୍ଟ ୧୮୦କୁ ବୃଦ୍ଧି ପାଇଛି। ପରାଜୟ ସତ୍ତ୍ୱେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସର୍ବାଧିକ ୩୬୦ ପଏଣ୍ଟ ଶୀର୍ଷ ସ୍ଥାନରେ ବଳବତ୍ତର ରହିଛି। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟେଷ୍ଟ ଚାମ୍ପିୟନଶିପ୍‌ରେ ଓ୍ବେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ହରାଇଛି।

Share