ଟୋକନ କଟିବା ପ୍ରତିବାଦରେ ସମିତିରେ ତାଲା ପକାଇଲେ ଚାଷୀ

ବାସୁଦେବପୁର, ୧୭ା୩(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଖରିଦା ବିନାୟକପୁର ସେବା ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ କିଣା ନେଇ ଅବ୍ୟବସ୍ଥା ଲାଗି ରହିଛି। ୩୧ ଜଣ ଚାଷୀଙ୍କ ଧାନକ୍ରୟ ଲାଗି ପ୍ରଦତ୍ତ ଟୋକନ ଅନ୍‌ଲାଇନରେ କଟିଯିବା ଫଳରେ ସେମାନେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ ବିକ୍ରି କରିପାରୁ ନାହାନ୍ତି। ଧାନ ଦେବା ପାଇଁ ଟୋକନ ପାଇବା ପରେ ଏହି ଚାଷୀମାନେ ପ୍ରାୟ ୭ ଶହ କୁଇଣ୍ଟାଲ ଧାନ ଆଣି ସମିତିରେ ପକାଇଥିଲେ। ପରବର୍ତ୍ତୀ ସମୟରେ ଟୋକନ୍‌ କଟିଯିବାରୁ ସେମାନେ ଧାନ ବିକି ନ ପାରି ହଇରାଣ ହେଉଛନ୍ତି। ସମିତି ପରିସରରେ ଧାନବସ୍ତା ପଡି ରହି ନଷ୍ଟ ହେବାକୁ ବସିଲାଣି। ଚାଷୀମାନେ ଏହାର ପ୍ରତିବାଦରେ ମଙ୍ଗଳବାର ସମିତିରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଚାଷୀମାନେ ଦର୍ଶାଇଛନ୍ତି ଯେ, ସମିତିକୁ ବିଭାଗ ଧାନକ୍ରୟ ପାଇଁ ଟାର୍ଗେଟ୍‌ ଦେଉ ନ ଥିବାରୁ ଆବଶ୍ୟକ ମୁତାବକ ଧାନ ଚାଷୀଙ୍କଠାରୁ ସମିତି କ୍ରୟ କରି ପାରୁନାହିଁ। ଚାଷୀଙ୍କୁ କୁପନ୍‌ ଦେଇ ପରବର୍ତ୍ତୀ ସମୟରେ ବିଭାଗ ଧାନକ୍ରୟ ପାଇଁ ଟାର୍ଗେଟ୍‌ ନ ଦେବା ଏକ ବିଡ଼ମ୍ବନା । ଏଥିଲାଗି ଟୋକନ୍‌ କାଟିଥିବା ଚାଷୀଙ୍କୁ ନୂତନ ଟୋକନ୍‌ ଦିଆଯାଉ। ସେହିପରି ଧାନକ୍ରୟ ପାଇଁ ଚୁକ୍ତିବଦ୍ଧ ହୋଇଥିବା ମିଲ୍‌ଗୁଡ଼ିକ ଧାନ ନିମ୍ନମାନର ହୋଇଥିବା କହି ଠିକ୍‌ ସମୟରେ ସମିତିକୁ ବୁରା ଦେଉ ନ ଥିବା ଅଭିଯୋଗ ହେଉଛି। ମଙ୍ଗଳବାର ଚାଷୀମାନେ ଏକତ୍ର ହୋଇ ସମବାୟ ସମିତିରେ ତାଲା ପକାଇ ଦେବାରୁ ସମିତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।