ଟୋକନ ନାହିଁ, ମଣ୍ଡିରେ ପଡିଛି ଧାନ

ଗଣ୍ଡତୁରୁମ, ୪।୨ (ଡି.ଏନ.ଏ) – ବରଗଡ ଜିଲା ଅତାବିରା ଆରଏମସି ଅଧୀନ ଭେଡେନ ବ୍ଲକରେ ଟୋକନ ଓ ଆଲର୍ଟମେଣ୍ଟ ଅଭାବରୁ ବିକ୍ରି ହୋଇ ନ ପାରି ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ପଡିରହିଛି । ଫଳରେ ବ୍ଲକର ପପଙ୍ଗା ୟାର୍ଡରେ ୪ଜଣ ଚାଷୀଙ୍କ ୨୮୦ ପ୍ୟାକେଟ ଧାନ ପଡିରହିଥିବା ବେଳେ ରୁଷୁଡାରେ ୧୨ଜଣଙ୍କ ୧୧୭୯, ମହୁଲପାଲିରେ ୮ଜଣଙ୍କ ୧୦୫୫, ଖୁଣ୍ଟୁଲିପାଲିରେ ୨ଟି ଟୋକନରେ ଜଣେ ଚାଷୀଙ୍କ ୩୬୮, ଭେଡେନରେ ୩୫ଜଣ ଚାଷୀଙ୍କ ୩୦୬୦, ତେନ୍ତୁଲିଟିକ୍ରାରେ ୩୪ ଜଣ ଚାଷୀଙ୍କ ୩ହଜାର, ସଁହରାଟିକ୍ରା ୟାର୍ଡରେ ୧୩ଜଣ ଚାଷୀଙ୍କ ୧୬୨୦ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡିରହିଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଚାଷୀଙ୍କ ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଉଦ୍ଦେଶ୍ୟରେ ସରକାର ପ୍ରଥମ ଥର ଟୋକନ ବ୍ୟବସ୍ଥା ପ୍ରଚଳନ କରିଥିଲେ। ବିଭାଗୀୟ କମ୍ପ୍ୟୁଟରରୁ ତଥ୍ୟ ଉଭାନ ହୋଇଯିବାରୁ ଅନେକ ଚାଷୀ ଟୋକନ ନ ପାଇ ଧାନ ବିକ୍ରିରୁ ବଞ୍ଚତ୍ତ ହୋଇଥିଲେ। ଯେଉଁ ଚାଷୀ ଧାନ ଅମଳ କରି ବିକ୍ରି ଉଦ୍ଦେଶ୍ୟରେ ରଖିଥିଲେ ସେମାନଙ୍କର ଟୋକନ ଆସି ନ ଥିଲା । ବରଂ ଅନ୍ୟ ଚାଷୀଙ୍କ ଟୋକନ ଆସିବାରୁ ବିକ୍ରିବଟାରେ ବିଭ୍ରାଟ ସୃଷ୍ଟି ହୋଇଥିଲା। ଏଥିପାଇଁ ଚାଷୀମାନେ ଆନ୍ଦୋଳନମୁହାଁ ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଅନଲାଇନ ଟୋକନ ବ୍ୟବସ୍ଥାର ଦୋଛକିରେ ଚାଷୀ ଆଗାମୀ ଚାଷ ପାଇଁ ଚିନ୍ତା କରିବା ବଦଳରେ ନିଜର ଧାନ ବିକ୍ରି ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଫଳସ୍ବରୂପ ବରପାଲି ବ୍ଲକର ଚାଷୀମାନେ ଗତ ୨୫ ତାରିଖରେ ସିକିର୍ଡି ଛକରେ ରାସ୍ତାରୋକୋ କରିଥିଲେ। ଜିଲା ଯୋଗାଣ ବିଭାଗ ପକ୍ଷରୁ ଗତ ୩୦ ତାରିଖ ସୁଦ୍ଧା ସମସ୍ତ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ତେବେ ୨ଦିନ ପରେ ମଧ୍ୟ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Share