ଟୋକନ ବ୍ୟବସ୍ଥା ବିରୋଧରେ ଚାଷୀ ଏକାଠି

ଜୟପୁର,୨୦ା୧୧(ନି.ପ୍ର.): ଧାନ ବିକିବାକୁ ଅନଲାଇନ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଏହାକୁ ଜିଲାସ୍ତରୀୟ କରିବା ପାଇଁ ଦାବି କରିଛନ୍ତି ଜୟପୁରର ଚାଷୀ। ମନୋଜ ପାତ୍ରଙ୍କ ଆହ୍ବାନରେ ଚାଷୀମାନେ ଜୟପୁର ଆରଏମ୍‌ସିରେ ଏଥିପାଇଁ ଏକାଠି ହୋଇଛନ୍ତି। ଜୟପୁର ଉପଖଣ୍ଡର କୁନ୍ଦୁରା, ବୈପାରିଗୁଡ଼ା, ବୋରିଗୁମ୍ମା, କୋଟପାଡ଼ ଓ ସଦର ଚାଷୀମାନେ ଏଥିରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଓ ଅଣସେଚିତ ଜମିରୁ ୧୩ କୁଇଣ୍ଟାଲ ଧାନ କିଣିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଚାଷୀମାନେ ବିରୋଧ କରିଛନ୍ତି। ବର୍ଷାଦିନର ଚାଷରେ ଜଳସେଚିତ ଓ ଅଣ ଜଳସେଚିତ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଆନାଲିସିସ ମେଶିନ ଦ୍ୱାରା ଧାନ କଟାଯାଉ ଥିବାରୁ ମୋଟରଚାଳିତ ମେଶିନ ମଣ୍ଡିରେ ଲଗାଇବା ପାଇଁ ଦାବି ହୋଇଛି। ଦାବି ସବୁ ପୂରଣ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଉପଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଟୋକନ ବ୍ୟବସ୍ଥା ଉଚ୍ଛେଦ, ମଣ୍ଡିରେ ହିଁ ଭେଣ୍ଡର ରସିଦ ଦେବାର ବ୍ୟବସ୍ଥା କରିବା ଭଳି ଦାବି ରହିଛି। ଦାବିପତ୍ର ପ୍ରଦାନ ବେଳେ ନରେନ୍ଦ୍ର ପ୍ରଧାନ, ଜୟନ୍ତ ପଟ୍ଟନାୟକ, ଝାଡେଶ୍ୱର ସାହୁ, ସ୍ବରୂପ ସାନ୍ତ୍ରା, ରାଧାକାନ୍ତ ଭଟ୍ଟ ଉପସ୍ଥିତ ଥିଲେ।

Share