Categories: ଖେଳ

ଟୋକିଓ ଅଲିମ୍ପିକ୍ସରୁ ଓହରିଲା କାନାଡା

ଟୋକିଓ,୨୩।୩- ବିଶ୍ୱକୁ ଗ୍ରାସ କରୁଥିବା କରୋନା ଭାଇରସ ଟୋକିଓ ଅଲିମ୍ପିକ୍ସକୁ ସାଙ୍ଘାତିକ ଭାବେ ପ୍ରଭାବିତ କରୁଛି। ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରୁ ଦଳ ଓହରିବା ଆରମ୍ଭ କରିଛନ୍ତି। ପ୍ରଥମ ଦଳ ଭାବେ କାନାଡା ଓହରିଛି। କାନାଡିଆନ ଅଲିମ୍ପିକ୍‌ କମିଟି (ସିଓସି) ଓ ପାରାଅଲିମ୍ପିକ୍‌ କମିଟି (ସିପିସି) କହିଛନ୍ତି, ସେମାନେ ଟୋକିଓ ଅଲିମ୍ପିକ୍‌ ଓ ପାରାଅଲିମ୍ପିକ୍‌ରେ ଭାଗ ନେବେ ନାହିଁ। କରୋନା ଭାଇରସ ଯୋଗୁ ବିଶ୍ୱରେ ସୃଷ୍ଟ ପରିସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ବିଭିନ୍ନ ଦେଶର ଅଲିମ୍ପିକ୍‌ କମିଟି ଅଲିମ୍ପିକ୍ସକୁ ଘୁଞ୍ଚାଇବା ଲାଗି ପରାମର୍ଶ ଦେଇଥିଲେ। ହେଲେ ଆୟୋଜକ ଜାପାନ ଅଲିମ୍ପିକ୍ସ କମିଟି ଧାର୍ଯ୍ୟ ତାରିଖରେ ହିଁ ଅଲିମ୍ପିକ୍‌ ଆରମ୍ଭ ହେବ ବୋଲି ଦୃଢ଼ୋକ୍ତି ଦେଇ ଆସୁଥିଲେ। ଅଲିମ୍ପିକ୍ସକୁ ଗୋଟେ ବର୍ଷ ସ୍ଥଗିତ ରଖିବା ଲାଗି ସିଓସି ଓ ସିପିସି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି), ଅନ୍ତର୍ଜାତୀୟ ପାରାଅଲିମ୍ପିକ୍‌ କମିଟି ଓ ବିଶ୍ୱ ସ୍ବାସ୍ଥ୍ୟା ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସହ ତୁରନ୍ତ ଆଲୋଚନା କରିବ। ବିଶ୍ୱ ବାସୀ ଓ ଆଥ୍‌ଲେଟଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କମିଟି ପକ୍ଷରୁ କୁହାଯାଇଛି। କାନାଡା ଅଲିମ୍ପିକ୍ସରୁ ଓହରି ଯିବାରୁ ଆଇଓସି ଉପରେ ଚାପ ବୃଦ୍ଧି ପାଇଛି।

Share