Categories: ଖେଳ

ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଠାରେ ବୁଧବାର ଆୟୋଜିତ ହୋଇଥିବା ନବମ ଗ୍ଲୋବାଲ ସ୍ପୋଟର୍‌ସ ସମିଟ୍‌ – ଟର୍ଫ ୨୦୧୯ରେ ଯୋଗ ଦେଇ ସେ ଭାରତର ପ୍ରଦର୍ଶନ ନେଇ ଆଶାବାଦୀ ଥିବା କହିଛନ୍ତି। ଏହି ଅଲିମ୍ପିକ୍ସ ଉପରେ ସରକାରଙ୍କ ନଜର ରହିଛି। ତେବେ ରାତାରାତି କୌଣସି ଚାମ୍ପିୟନ ଖେଳାଳିଙ୍କୁ ସୃଷ୍ଟି କରାଯାଇପାରିବ ନାହିଁ। ଏଥିପାଇଁ ବର୍ଷବର୍ଷ ସମୟ ଆବଶ୍ୟକ ହୋଇଥାଏ। କ୍ରୀଡ଼ା ଭିତ୍ତିଭୂମୀ ନିର୍ମାଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଓ ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନରେ କ୍ରମାଗତ ଭାବେ ଉନ୍ନତି ହେବ। ଅଲିମ୍ପିକ୍ସରେ ଭାରତକୁ ଏବେ କେହି ହେୟ ମନେ କରିବେ ନାହିଁ ବୋଲି ସେ କହିଛନ୍ତି। ଦେଶରେ ଭରପୂର କ୍ରୀଡ଼ା ପ୍ରତିଭା ରହିଛି। କ୍ରୀଡ଼ା ଏବେ ଗ୍ଲାମର ଓ ବିଜ୍‌ନେସରେ ପରିଣତ ହୋଇଛି। ଭାରତରେ କ୍ରୀଡ଼ାକୁ ନେଇ ଅସୀମିତ ସୁଯୋଗ ରହିଛି। ଦେଶର ପ୍ରତ୍ୟେକ ରାଜ୍ୟ କ୍ରୀଡ଼ା ବିକାଶ ପାଇଁ ଆଗଭର ହେବା ଉଚିତ ବୋଲି ସେ ମତ ଦେଇଛନ୍ତି।
ଦେଶରେ ଫିଟ୍‌ ଇଣ୍ଡିଆ ଅଭିଯାନ ସମସ୍ତଙ୍କୁ ପ୍ରଭାବିତ କରିଛି ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି। ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ଏଫ୍‌ଆଇସିସିଆଇ ଅଧ୍ୟକ୍ଷ ସନ୍ଦୀପ ସୋମାନୀ, କେନ୍ଦ୍ର ସରକାରଙ୍କ କ୍ରୀଡ଼ା ସଚିବ ରାଧେଶ୍ୟାମ ଝୁଲନିୟା, ଆଫଗାନିସ୍ତାନ ସ୍ପୋଟର୍‌ସ ଫେଡେରେଶନ ପ୍ରତିଷ୍ଠାତା ଆଜମଲ ଘନୀ ଉପସ୍ଥିତ ରହି ନିଜର ମତାମତ ପ୍ରଦାନ କରିଥିଲେ।

Share