ଟୋକିଓ ଅଲିମ୍ପିକ୍ସ: ନୂଆ ତାରିଖ ସମସ୍ତଙ୍କୁ ଖୁସି କରି ନ ପାରେ

ପ୍ୟାରିସ,୨୮।୩ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଟୋକିଓ ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ମେଗା ଇଭେଣ୍ଟର ନୂଆ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି। ତେବେ ଘୋଷିତ ହେବାକୁ ଥିବା ନୂଆ ତାରିଖ ସମସ୍ତଙ୍କୁ ଖୁସି ନ କରିପାରେ ବୋଲି ଓ୍ବାଲର୍‌ଡ ଆଥଲେଟିକ୍ସ ଅଧ୍ୟକ୍ଷ ସେବାଷ୍ଟିଆନ କୋଏ କହିଛନ୍ତି। ଏ ନେଇ ସମସ୍ତଙ୍କୁ ଖୁସି କରିବା ଅସମ୍ଭବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସବୁ କ୍ରୀଡ଼ା ଫେଡେରେଶନର ପରାମର୍ଶକୁ ଦୃଷ୍ଟିରେ ରଖି ତାରିଖ ଧାର୍ଯ୍ୟ କରିବା ସମ୍ଭବ ନୁହଁ। ସବୁ ଫେଡେରେଶନ କୌଣସି ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ସମସ୍ୟା ଥିବା କଥା କହିଛନ୍ତି। ତେବେ ଆଗାମୀ ୨ ବର୍ଷ ମଧ୍ୟରେ ସବୁ ଫେଡେରେଶନ ଉଦାର ହେବାକୁ ସେ ନିବେଦନ କରିଛନ୍ତି। ୨୦୨୧ ଓ୍ବାଲର୍‌ଡ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ କରୋନା ଭାଇରସ ସଂକ୍ରମଣ କାରଣରୁ ଏହି ଇଭେଣ୍ଟ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରହିଛି।
ଅଲିମ୍ପିକ୍ସର ନୂଆ ତାରିଖ ୨୦୨୦ ପରେ ଆୟୋଜନ ହେବ। କିନ୍ତୁ ଏହା ୨୦୨୧ ଗ୍ରୀଷ୍ମ ପାର କରିବ ନାହିଁ ବୋଲି କୋଏ କହିଛନ୍ତି। ଅଲିମ୍ପିକ୍ସ ବସନ୍ତ ଋତୁରେ ଆୟୋଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଜାପାନରେ ଗ୍ରୀଷ୍ମରେ ପ୍ରବଳ ଗରମ ଅନୁଭୂତ ହେବା ସହ ଆର୍ଦ୍ରତା ପରିଲକ୍ଷିତ ହୋଇଥାଏ। ଶୀଘ୍ର ଅଲିମ୍ପିକର ନୂଆ ତାରିଖ ଘୋଷଣା ନେଇ ଦାବି ହେଉଛି। ସବୁ ଦିଗକୁ ବିଚାର କରାଯାଇ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି କୋଏ ସ୍ପଷ୍ଟ କରିଛନ୍ତି।

Share