Categories: ଖେଳ

ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ରଖିବାକୁ ୟୁଏସ୍‌ଏ ସୁଇମିଂର ପରାମର୍ଶ

ଲସଏଞ୍ଜେଲ୍ସ,୨୧।୩ (ଏଏଫ୍‌ପି): ଆମେରିକୀୟ ସନ୍ତରଣ ପ୍ରତିଯୋଗିତାର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ୟୁଏସ୍‌ଏ ସୁଇମିଂ ଆଗାମୀ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ସାରା ବିଶ୍ୱରେ କରୋନା ଭାଇରସ୍‌ ଏକ ମହାମାରୀ ରୁପେ କାୟା ବିସ୍ତାର କରିସାରିଥିବାରୁ ଅଲିମ୍ପିକକୁ ସ୍ଥଗିତ ରଖିବା ଜରୁରି ହୋଇପଡିଛି। ଏଥିପାଇଁ ଏହି ସଂସ୍ଥା ୟୁଏସ୍‌ ଅଲିମ୍ପିକ୍‌ ଓ ପାରାଲିମ୍ପିକ୍‌ କମିଟି(ୟୁଏସ୍‌ଓପିସି)କୁ ଚିଠି ଲେଖିଛି ଓ ଅଲିମ୍ପିକ ସ୍ଥଗିତ କରିବାକୁ ଚାପ ପକାଇବାକୁ ପରାମର୍ଶ ଦେଇଛି। ଏ ନେଇ ୟୁଏସ୍‌ଏ ସୁଇମିଂ ପେଡେରେଶନ ମୁଖ୍ୟ କାର୍ଯ୍ୟନିର୍ବାହୀ ଟିମ୍‌ ହିନଚେ ସମସ୍ତଙ୍କୁ ଗୁରୁତର ସହ ଚିନ୍ତା କରିବାକ ପରାମର୍ଶ ମଧ୍ୟ ଦେଇଛନ୍ତି। ୟୁଏସ୍‌ଏ ସୁଇମିଂ ଟୁଇଟର ହ୍ୟାଣ୍ଡଲରେ ଏହି ଚିଠି ପୋଷ୍ଟ କରାଯାଇଛି।
ଟୋକିଓ ଅଲିମ୍ପିକ୍ସ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଆମକୁ ସମୟ ଆବଶ୍ୟକ ବୋଲି ୟୁଏସ୍‌ ଅଲିମ୍ପିକ୍ସ ମୁଖ୍ୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କହିବା ପରେ ଏହି ଚିଠିକୁ ସାର୍ବଜନୀନ କରାଯାଇଛି। ୟୁଏସ୍‌ଓପିସି ଚେୟାରଓମ୍ୟାନ ସୁସାନ ଲିୟନ୍ସ ଆମରିକୀୟ କ୍ରୀଡ଼ାର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସହିତ ସମାନ ମତ ପ୍ରକାଶ କରିଥିବା କହିଛନ୍ତି। ଅଲିମ୍ପିକ୍ସ ନେଇ ଏତେ ଶୀଘ୍ର କୌଣସି ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ ବୋଲି ମିଳିତ ଭାବେ କୁହାଯାଇଛି।
ଦେଶର ୮୫ ଜଣ ଆଥଲେଟ୍‌ କାରୋନା ଭାଇରସ୍‌ ସଂକ୍ରମଣ ଓ ଅଲିମ୍ପିକ୍ସ ଆୟୋଜନ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏମାନଙ୍କ ସହ ଆଲୋଚନା କରାଯାଇ ଏଭଳି ଚିଠି ପୋଷ୍ଟ କରାଯାଇଛି ବୋଲି ୟୁଏସ୍‌ଏ ସୁଇମିଂ ତରଫରୁ କୁହାଯାଇଛି। ଆମେରିକାର ବିଭିନ୍ନ ରାଜ୍ୟରେ ସୋସିଆଲ ଡିଷ୍ଟାନ୍ସଂ ବା ସମାଜିକ ଦୂରତ୍ୱ ନିୟମ ଲାଗୁ କରାଯାଇଛି ଓ ଏହା ଦ୍ୱାର ଟ୍ରେନିଂ ବାଧାପ୍ରାପ୍ତ ହୋଇଛି ବୋଲି ୟୁଏସ୍‌ଏ ସୁଇମିଂ ତରଫରୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣ ଏବେ ଅଲିମ୍ପିକ୍ସ ପ୍ରସ୍ତୁତିରେ ବାଧାସୃଷ୍ଟି କରିଛି। ତେଣୁ ଆଥଲେଟମାନେ ଅତ୍ୟଧିକ ଚାପର ସମ୍ମୁଖୀନ ହୋଇଛନ୍ତି। ଆଥଲେଟଙ୍କ ଶାରିରୀକ ଓ ମାନସିକ ସ୍ବାସ୍ଥ୍ୟକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହିନ୍‌ଚେ କହିଛନ୍ତି।
ଉଲ୍ଲେଖଥାଉ କି, ଆମେରିକା ସାରା ବିଶ୍ୱରେ ସୁଇମିଂ ପାଓ୍ବାର ହାଉସ୍‌ ରୂପେ ବିବେଚିତ ହେଉଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଆମେରିକା ୩୩ଟି ପଦକ ହାସଲ କରିଥିଲା। ସୁଇମିଂ କିମ୍ବଦନ୍ତୀ ମାଇକେଲ ଫେଲପ୍ସଙ୍କ କୋଚ୍‌ ବବ ବୋମ୍ୟାନ ମଧ୍ୟ ଅଲିମ୍ପିକ୍‌କୁ ସ୍ଥଗିତ ରଖିବା ସପକ୍ଷରେ ମତ ଦେଇଛନ୍ତି। ଫେଲ୍‌ପ୍ସ ୨୩ ସ୍ବର୍ଣ୍ଣ ସମେତ ମୋଟି ୨୮ଟି ଅଲିମ୍ପିକ ପଦକ ହାସଲ କରି ବିଶ୍ୱ କ୍ରୀଡ଼ା ଇତିହାସରେ ଅସାଧାରଣ ସଫଳତା ଅର୍ଜନ କରିଛନ୍ତି।

Share