Categories: ଖେଳ

ଟୋକିଓ: ଗୃହହୀନ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ଚାହୁଁଛନ୍ତି

ଟୋକିଓ,୧୮।୪(ଏପି): କରୋନା ଭାଇରସ୍‌ ମହାମାରୀ ରୂପ ନେଇ ସାରିଥିବା ବେଳେ ଟୋକିଓରେ ଗୃହହୀନଙ୍କ ଏକ ବର୍ଗ ତଥା ସମୁଦାୟ ଏକ ଭିନ୍ନ ପ୍ରକାର ଦାବି ଉପସ୍ଥାପନା କରିଛନ୍ତି। ଏମାନେ ଅଲିମ୍ପିକ୍‌ କ୍ରୀଡ଼ାଗ୍ରାମରେ ଆଶ୍ରୟ ନେବାକୁ ପିଟିଶନ ଦାୟର କରିଛନ୍ତି। ଏହି କ୍ରୀଡ଼ାଗ୍ରାମରେ ବିଶ୍ୱରେ ୧୧,୦୦୦ ଆଥଲେଟ ଓ ୪, ୪୦୦ ଆଥଲେଟ ରହିବାର ବ୍ୟବସ୍ଥା ହୋଇଛି। ପ୍ରାୟ ୧୦ ହଜାର ଲୋକ ଏ ନେଇ ଟୋକିଓ ଅଲିମ୍ପିକ୍‌ ଆୟୋଜକଙ୍କୁ ଅନ୍‌ଲାଇନ୍‌ରେ ସ୍ବାକ୍ଷର କରି ଦାବି ଉପସ୍ଥାପନା କରିଛନ୍ତି।
ଏହି କ୍ରୀଡ଼ାଗ୍ରାମର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଛି। ତେବେ କୋଭିଡ-୧୯ କାରଣରୁ ଅଲିମ୍ପିକ୍‌ ଗୋଟିଏ ବର୍ଷ ଘୁଞ୍ଚାଇଦିଆଯିବା ପରେ ଏହି କ୍ରୀଡ଼ାଗ୍ରାମ ଫାଙ୍କା ରହୁଛି। ଏହି ଦାବି ନେଇ ଟୋକିଓ ଅଲିମ୍ପିକ ଆୟୋଜକ କିଛି ମତ ଦେବାକୁ ମନା କରିଦେଇଛନ୍ତି। ସେହିପରି ଟୋକିଓ ମେଟ୍ରୋପଲିଟାନ ସରକାର ମଧ୍ୟ ଏ ନେଇ କୌଣସି ଜବାବ ରଖିନାହାନ୍ତି। ତେବେ ଏହି ପିଟିଶନ ବା ଦାବି ଉପସ୍ଥାପନା କେବେ ହୋଇଛି ସେ ନେଇ ଆୟୋଜକ କିଛି ସ୍ପଷ୍ଟ କରିନାହାନ୍ତି।
କୋଭିଡ-୧୯ କାରଣରୁ ବହୁ ଲୋକ ଦାରିଦ୍ର୍ୟର ଶିକାର ହୋଇଛନ୍ତି ଓ ଗୃହ ହରାଇଛନ୍ତି। ଏବେ ଟୋକିଓ ରାସ୍ତାକଡ଼ ତଥା ଫୁଟପାଥ୍‌ରେ ୧,୦୦୦ ଲୋକ ରହୁଛନ୍ତି। ସେହପିରି ଆଉ ୪,୦୦୦ ଲୋକ ମଧ୍ୟ ଗୃହ ହରାଇ ବିଭିନ୍ନ ସ୍ଥାନରେ ରହୁଛନ୍ତି। କ୍ରୀଡ଼ାଗ୍ରାମରେ ୨୪ଟି ବିଲ୍ଡିଂ ରହିଛି। ଜାପାନରେ ଏବେ କୋଭିଡ-୧୯ରେ ୨୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି ଓ ୯,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଜାପାନ ମଧ୍ୟ ଏ ନେଇ ସାରା ଦେଶରେ ଜାତୀୟ ବିପତ୍ତି ଘୋଷଣା କରିଛି।

Share