Categories: ଖେଳ

ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦ ପଦକ ଜିତିବେ: କୋଚ୍‌ ଶିବପ୍ରସାଦ

ଭୁବନେଶ୍ୱର, ୩୦।୮- ପ୍ରଥମ ପାରା ଆଥଲେଟ ହିସାବରେ ପ୍ରମୋଦ ବିଜୁ ପଟ୍ଟନାୟକ ପୁରସ୍କାର ହାସଲ କରୁଥିବାରୁ ଆମ ପାଇଁ ଗର୍ବ ବିଷୟ ବୋଲି ତାଙ୍କ କୋଚ୍‌ ଶିବପ୍ରସାଦ ଦାସ କହିଛନ୍ତି। କେବଳ ବିଜୁ ପଟ୍ଟନାୟକ ପୁରସ୍କାର ନୁହଁ ପ୍ରମୋଦ ଅର୍ଜୁନ ପୁରସ୍କାର ପାଇଁ ଦିଲ୍ଲୀ ଯାଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ ସଫଳତା ପରେ ଏବେ ପାରାଅଲିମ୍ପିକ୍ସ ପଦକ ହାସଲ କରିବାର ପ୍ରମୋଦଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି। ତାଙ୍କ ପାଖରେ ପ୍ରତିଭା ରହିଛି। ତେବେ ଏଥିପାଇଁ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରହିବା ସହ ଶୃଙ୍ଖଳିତ ଭାବେ ପ୍ରଶିକ୍ଷଣ ଜାରି ରଖିବାକୁ ହେବ। ସେଥିପାଇଁ ସେ ଖୁବ୍‌ଶୀଘ୍ର ପ୍ରସ୍ତୁତି ଆରମ୍ଭ କରିବେ। କଠିନ ପରିଶ୍ରମ, ଖେଳ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଓ ଅଧ୍ୟବସାୟ ପାଇଁ ସେ ଆଜି ଜଣେ ସଫଳ ଖେଳାଳିଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ବୋଲି ଶିବପ୍ରସାଦ କହିଛନ୍ତି। ଏବେ ସେ ଜବରଦସ୍ତ ଫର୍ମରେ ରହିଛନ୍ତି। ତାଙ୍କୁ ହରାଇବା କଷ୍ଟକର ହେବେ। ସେ ଭୁଲ ନ କଲେ ତାଙ୍କୁ ହରାଇବା ବିଶ୍ୱର ଯେକୌଣସି ଖେଳାଳିଙ୍କ ପାଇଁ କଷ୍ଟକର। ୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସେ ସ୍ବର୍ଣ୍ଣ ପଦକ ହାସଲ କରିବା ଆଶା କରୁଛି ବୋଲି ସେ କହିଛନ୍ତି। କେବଳ ପାରା ଆଥଲେଟ ନୁହଁ ଆଗାମୀ ପିଢ଼ିର ଅନ୍ୟ ଆଥଲେଟମାନେ ମଧ୍ୟ ତାଙ୍କଠାରୁ ପ୍ରେରଣା ପାଇପାରିବେ। ଜଣେ ପାରା ଆଥଲେଟ ପାଇଁ ସାମାଜିକ ବୈଷମ୍ୟ ରହିଛି। ତେବେ ଏହାକୁ ଅତିକ୍ରମ କରି ସେ ନିଜକୁ ପ୍ରତିଷ୍ଠିତ କରିବା ଏକ ଅସାଧାରଣ ସଫଳତା ବୋଲି ସେ କହିଛନ୍ତି।

Share