Categories: ଖେଳ

ଟୋମିକ୍‌ଙ୍କୁ ପୁରସ୍କାର ରାଶି ମିଳିବ ନାହିଁ

ଲଣ୍ଡନ, ୪ା୭ (ଏଏଫ୍‌ପି)-ଅଷ୍ଟ୍ରେଲୀୟ ଟେନିସ୍‌ ଖେଳାଳି ବର୍ନାଡ ଟୋମିକ୍‌ ତାଙ୍କ ଓ୍ବିମ୍ବେଲଡନ ପୁରସ୍କାର ରାଶି ହରାଇବେ। ମଙ୍ଗଳବାର ଫ୍ରାନ୍ସର ଜୋ ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ସେ ତାଙ୍କ ପୂରା ଦକ୍ଷତା ଅନୁସାରେ ଖେଳି ନ ଥିବା ଅଭିଯୋଗ ହୋଇଛି। ମ୍ୟାଚରେ ସେ ୬-୨, ୬-୧, ୬-୪ ସେଟ୍‌ରେ ପରାସ୍ତ ହୋଇଯାଇଥିଲେ। ମ୍ୟାଚଟି ମାତ୍ର ୫୮ ମିନିଟ୍‌ରେ ଶେଷ ହୋଇଥିଲା। ତାଙ୍କର ସମଗ୍ର ୪୫,୦୦୦ ପାଉଣ୍ଡ ଓ୍ବିମ୍ବେଲଡନ ପୁରସ୍କାର ରାଶି ପ୍ରତ୍ୟାହାର କରି ନିଆଯାଇଥିବା ଟୁର୍ନାମେଣ୍ଟର ଆୟୋଜକଙ୍କ ତରଫରୁ ଘୋଷଣା କରାଯାଇଛି। କୋ-ଓ୍ବିଲ୍‌ଫ୍ରେଡ୍‌ ସୋଙ୍ଗାଙ୍କ ବିପକ୍ଷ ପ୍ରଥମ ରାଉଣ୍ଡ ମ୍ୟାଚରେ ଜଣେ ପ୍ରଫେଶନାଲ ଖେଳାଳି ହିସାବରେ ଯେପରି ଖେଳିବା କଥା ବର୍ନାଡ ଟୋମିକ୍‌ ସେପରି ଖେଳି ନ ଥିଲେ ବୋଲି ରେଫରି ମତବ୍ୟକ୍ତ କରିଥିଲେ। ଅଲ୍‌ ଇଂଲଣ୍ଡ କ୍ଲବ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ସୋଙ୍ଗାଙ୍କ ବିପକ୍ଷ ବେଷ୍ଟ୍‌ ଅଫ୍‌ ଫାଇଭ ସେଟ୍ସ ମ୍ୟାଚ ଟୁର୍ନାମେଣ୍ଟରେ ସବୁଠାରୁ କମ୍‌ ସମୟ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ। ମୋଟ ଉପରେ ତାଲିକାର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ବେଷ୍ଟ ଅଫ୍‌ ଥ୍ରି ମହିଳା ଇଭେଣ୍ଟରେ ଏଲିସି ମର୍ଟେନ୍ସ ଫିଓନା ଫେରୋଙ୍କୁ ମାତ୍ର ୪୮ମିନିଟ୍‌ରେ ହରାଇ ଦେଇଥିଲେ। କିନ୍ତୁ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୯୬ତମ ସ୍ଥାନରେ ଥିବା ଟୋମିକ୍‌ କହିଛନ୍ତି, ମୁଁ ଯେତେ ସମ୍ଭବ ଭଲ ଖେଳିବାକୁ ଉଦ୍ୟମ କରିଥିଲି, ମାତ୍ର ପାରି ନ ଥଲି। ୨୦୧୧ରେ ବିଶ୍ୱର ଟପ୍‌ ୨୦ ଖେଳାଳିଙ୍କ ମଧ୍ୟରେ ଥିବା ଟୋମିକ୍‌ ସେତେବେଳେ ଓ୍ବିମ୍ବେଲଡନ କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରିଥିଲେ।

Share