Categories: ଫୁରସତ

ଟୋଲ୍‌ ଫ୍ରି ନମ୍ବରକୁ ୨୪ ହଜାର କଲ୍‌

ଟୋକିଓ: ଗ୍ରାହକଙ୍କ ଅଭିଯୋଗ ଶୁଣିବା ଓ ଏହାର ସମାଧାନ ଦିଗରେ ସୂଚନା ପ୍ରଦାନ ପାଇଁ କମ୍ପାନୀଗୁଡ଼ିକ ଟୋଲ୍‌ ଫ୍ରି ନମ୍ବରର ସୁବିଧା ଯୋଗାଇ ଦେଇଥାଆନ୍ତି। ଏହି ନମ୍ବରକୁ ଫୋନ୍‌ କଲେ ଗ୍ରାହକଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ି ନ ଥାଏ। ହେଲେ ଏହି ଟୋଲ୍‌ ଫ୍ରି ନମ୍ବରକୁ କଲ୍‌ କରି ଜାପାନର ଜଣେ ୭୧ ବର୍ଷୀୟ ବୃଦ୍ଧ ଏକିଟୋସୀ ଓକାମୋଟୋଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଏକିଟୋସୀ ଅଭିଯୋଗ କରିବା ପାଇଁ ଟୋଲ୍‌ ଫ୍ରି ନମ୍ବରକୁ ୨୪ ହଜାର ଥର କରିଥିଲେ। ତେବେ ଉକ୍ତ କମ୍ପାନୀ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକିଟୋସୀଙ୍କୁ ଗିରଫ କରିଛି। ଏକିଟୋସୀ ସୋତାମାରେ ରୁହନ୍ତି। ସେ ଲଗାତାର ଭାବେ ରେଡିଓ ବ୍ରର୍ଡକାଷ୍ଟ ସର୍ଭିସ ବ୍ୟବହାର କରିପାରୁ ନ ଥିବାରୁ ଅଭିଯୋଗ କରିବା ସକାଶେ ଗତ ଅକ୍ଟୋବର ମାସର ଗୋଟିଏ ସପ୍ତାହରେ ଉକ୍ତ କମ୍ପାନୀର ଟୋଲ୍‌ ଫ୍ରି ନମ୍ବରକୁ ୪୧୧ଥର ଫୋନ୍‌ କରିଥିଲେ। ଟେଲିକମ୍‌ କମ୍ପାନୀ ‘କେଡିଡିଆଇ’ ପକ୍ଷରୁ କୁହାଯାଇଛି, ଏକିଟୋସୀ ଗତ ଦୁଇ ବର୍ଷ ଭିତରେ ଟୋଲ୍‌ ଫ୍ରି ନମ୍ବରକୁ ୨୪,୦୦୦ ଥର କଲ୍‌ କରିଛନ୍ତି। ପ୍ରତିଦିନ ପାଖାପାଖି ୩୩ଥର ସେ ଫୋନ୍‌ କରୁଥିବା କମ୍ପାନୀ ରେକର୍ଡରୁ ଜଣାପଡ଼ିଛି। ଜାପାନ ମିଡିଆ ରିପୋର୍ଟ ଅନୁସାରେ, ଏକିଟୋସୀଙ୍କୁ କମ୍ପାନୀ ଟୋଲ ଫ୍ରି ନମ୍ବରକୁ କଲ୍‌ କରିବା ପରେ ଖରାପ ସର୍ଭିସ ପାଇଁ ତାଙ୍କ ନିକଟକୁ ଆସି ଭୁଲ୍‌ ମାଗିବାକୁ କହୁଥିଲେ। ପ୍ରଥମେ ପ୍ରଥମେ କମ୍ପାନୀ ତାଙ୍କ ଫୋନ୍‌କୁ ଅଣଦେଖା କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକିଟୋସୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

Share