ଟ୍ରକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ୮ଗୁରୁତର

କେନ୍ଦୁଝର, ୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ନେକଡ଼ାଘର,
୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତିରେ ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ପ୍ରକାଶ ଯେ, ‘ଶ୍ରୀ ରାମ’ ନାମକ ଘରୋଇ ଯାତ୍ରୀବାହୀ ବସ୍‌ ବଡ୍‌ବିଲରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲା। ୨୦ ନମ୍ବର ଜାତୀୟ ରାଜପଥରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକ୍‌ ପଛରେ ପିଟିହୋଇଥିଲା। ସ୍ଥାନୀୟ ଲୋକେ ସମସ୍ତ ଆହତଙ୍କୁ ଉଦ୍ଧାରକରି ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଯାତ୍ରୀମାନେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ବସ୍‌ର ସମ୍ମୁଖ ଭାଗ ଚୂର୍‌ମାର ହୋଇଯାଇଥିବା ଜଣାପଡ଼ିଛି।