ଟ୍ରକ୍‌କୁ ପିଟିଲା ତୀର୍ଥଯାତ୍ରୀ ବସ୍‌: ୨ ମୃତ, ୧୫ ଗୁରୁତର

ଭଦ୍ରକ ଅଫିସ, ୧୨।୨: ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ପିଟଛି ଏକ ତୀର୍ଥଯାତ୍ରୀ ବସ୍‌। ଫଳରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଯାତ୍ରୀ ଗୁରୁତର ଓ ୨୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଗୁରୁତର ଏବଂ ଆହତଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଗୋରଖପୁରର ତୀର୍ଥ ଯାତ୍ରୀ ଚାରିଧାମ ଯାତ୍ରାରେ ବାହାରିଥିଲେ। ପ୍ରଥମେ ଅଯୋଧ୍ୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୂର୍ଘଟଣା ଶିକାର ହୋଇଥିଲା। ପୂର୍ବରୁ ଏକ ଧାନ ବୋଝେଇ ଟ୍ରକର ତେଲ ସରିଯିବାରୁ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିଲା। ବସ୍‌ଟି ଛିଡା ହୋଇଥିବା ଧାନ ବୋଝେଇ ଟ୍ରକର ସାମ୍ନାପଟୁ ବାଡ଼େଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଶିକାର ହୋଇଥିବା ତୀର୍ଥଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସଙ୍କ ପକ୍ଷରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ତୀର୍ଥଯାତ୍ରୀଙ୍କ ପରିଚୟ ଜଣାପଡ଼ିନାହିଁ। ୫ ଜଣ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ୧୦୮ ଯୋଗେ ସ୍ଥାନାନ୍ତରିତ କରାଗଲା। ଏହି ୫ ଜଣଙ୍କୁ ଭଦ୍ରକ ରେଡକ୍ରସ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୫ ହଜାର ଲେଖାଏ ସହାୟତା ପ୍ରଦାନ କରାଯାଇଛି। ଘଟଣାସ୍ଥଳରେ ଉପଜିଲାପାଳ ପିତାମର ସାମଲ ଉପସ୍ଥିତ ରହି ଆହତଙ୍କ ସମ୍ପର୍କରେ ପଚାରି ବୁଝୁଛନ୍ତି।