ଟ୍ରକ୍‌ ଧକ୍କାରେ ଝିଅ ମୃତ, ବାପା ଆହତ

ବ୍ରହ୍ମପୁର ଅଫିସ,୨୯ା୧-ବ୍ରହ୍ମପୁର ସହର ଦେଇ ଯାଇଥିବା ୧୬ନଂ. ଜାତୀୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି। ଫଳରେ ହଳଦିଆପଦର ଲେଭଲ କ୍ରସିଂଠାରୁ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ଚାଲିଯାଉଛି। ମଙ୍ଗଳବାର ହଳଦିଆପଦର ଦେଇ ଲାଞ୍ଜିପଲ୍ଲୀ ପଟକୁ ଆସୁଥିବା ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ଆହତ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମର କୈଳାସ ଗୌଡ଼ ତାଙ୍କ ଝିଅ ନନ୍ଦିନୀ (୩୨)ଙ୍କୁ ସ୍କୁଟି (ଓଡ଼ି୦୭ ଡବ୍ଲୁ୨୭୭୨)ରେ ଧରି ଲାଞ୍ଜିପଲ୍ଲୀ ଯାଉଥିଲେ। ପଛପଟୁ ଆସୁଥିବା ମାଲବାହୀ ଟ୍ରକ୍‌ (ପିବି ୬୫ ଏଟି ୦୮୧୧) ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟିଚାଳକ କୈଳାସ ଓ ତାଙ୍କ ଝିଅ ପଡ଼ିଯାଇଥିଲେ। ଏପରିକି ଧକ୍କା ଦେଇଥିବା ଟ୍ରକ ଚକା ତଳେ ଚାପି ହୋଇ ଝିଅଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟପାଳ ବ୍ରହ୍ମପୁର ଗସ୍ତରେ ଥିବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଫଳରେ ଝିଅର ମୃତଦେହ ନିକଟରେ ଆହତ ବାପା ବହୁ ସମୟ ଧରି କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଶେଷରେ ଗୋଷାଣୀନୂଆଗଁା ଥାନାଧିକାରୀ ସୁମିତ କୁମାର ସୋରେନ ଘଟଣାସ୍ଥଳରେ ପହଞ୍ଚି ପିସିଆର ଭ୍ୟାନ ଜରିଆରେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବା ପୋଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ, ଗତ ୨୪ ଦିନ ମଧ୍ୟରେ ଏହି ଘଟଣାକୁ ମିଶାଇ ୨ ଜଣ ମହିଳା ଓ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।