ଟ୍ରକ୍‌ -ବାଇକ ମୁହାଁମୁହିଁ ଧକ୍କା: ଜଳିଗଲା ଟ୍ରକ୍‌,ବାଇକ

ବୋରିଗୁମ୍ମା,୧୧।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା- କୋଟପାଡ଼ ୬୩ ନଂ. ଜାତୀୟ ରାଜପଥ ଶଶାହାଣ୍ଡି ନିକଟରେ ସୋମବାର ବିଳମ୍ବିତ ରାତିରେ ଟ୍ରକ୍‌ -ବାଇକ ଧକ୍କା ହୋଇ ଟ୍ରକ୍‌,ବାଇକ ଜଳିଯାଇଛି। ଏଥିରେ ୨ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହରି ପାଇକ, କମଳଲୋଚନ ହନ୍ତାଳ। ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ରାତିରେ ଏକ ଟ୍ରକ ବୋରିଗୁମ୍ମା ପଟୁ କୋଟପାଡ଼ ଅଭିମୁଖେ ଯାଉଥିବା ବେଳେ ଶଶାହାଣ୍ଡି ନିକଟରେ ବିପରୀତ ଦିଗରୁ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ସଙ୍ଗେ ସଙ୍ଗେ ଟ୍ରକ୍‌ଟି ଜଳିବା ଆରମ୍ଭ କରିଥିଲା। ଟ୍ରକ୍‌ ତଳେ ଚାପି ହୋଇ ବାଇକ୍‌ରେ ମଧ୍ୟ ନିଆଁ ଲାଗିଥିଲା। ବାଇକ୍‌ ଆରୋହୀ ଛିଟିକି ତଳେ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ଯୁବକଙ୍କ ସହାୟତାରେ ହରି,କମଳଲୋଚନଙ୍କୁ ଉଦ୍ଧାର କରାଯାଇ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।