ଟ୍ରକ ଚ଼ଢିଯିବାରୁ ନାବାଳିକାଙ୍କ ମୃତ୍ୟୁ: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

କେନ୍ଦୁଝର,୨।୧ (ସ୍ବ.ପ୍ର.)-ସଦର ଥାନା ଅନ୍ତର୍ଗତ ବଡପଶି ଗ୍ରାମ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ବୁଧବାର ସନ୍ଧ୍ୟାରେ ଏକ ଟ୍ରକ ଚ଼ଢିଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ପ୍ରକାଶ ଯେ ହରିଚନ୍ଦନପୁର ବ୍ଲକ କଉତିପଦା ଗ୍ରାମର ଶ୍ରାବଣୀ ନାୟକ(୭) ବଡ଼ପୋଶିରେ ତାଙ୍କ ଅଜାଘରେ ରହି ପାଠପଢୁଥିଲେ। ସମ୍ପର୍କୀୟଙ୍କ ସାଙ୍ଗରେ ସା ୬ଟାବେଳେ ଶୌଚ ହେବା ପାଇଁ ରାଜପଥ ପାର ହେଉଥିବାବେଳେ ଏକ (ଓଆରଜିର-୪ଜେ-୦୪୧୮) ବଡ଼ବିଲ ପଟୁ ଘଟଗାଁ ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କାଦେଇଥିଲା। ଫଳରେ ନାବାଳିକାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକେ ବିଭିନ୍ନ ଦାବି କରିବା ସହ ରାସ୍ତା ଅବରୋଧ କରି ଆନ୍ଦୋଳନରେ ବସିଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ତାଇ ପୋଲିସ ଫୋର୍ସ ଧରି ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜନା ରୋକିବାକୁ ପ୍ରୟାସ ଜାରି ରଖିଥିଲେ। ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ଅପେକ୍ଷା କରାଯାଇଥିବାରୁ ଅବରୋଧ ହଟିବାରେ ବିଳମ୍ବ ହୋଇଥିଲା। କ୍ଷତି ପୂରଣ ଦାବିରେ ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ ରହିବାରୁ ରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡି ଉଭୟ ପାର୍ଶ୍ୱରେ ଠିଆ ହୋଇ ରହିଥିଲା। ଥଣ୍ଡା ଯୋଗୁ ରାସ୍ତାରେ ଅଟକ ଯାତ୍ରୀ ମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ। ପିକନିକ ପାଇଁ ଆସିଥିବା ଲୋକ ମାନଙ୍କୁ ମଧ୍ୟ ରାସ୍ତା ଅବରୋଧ ଯୋଗୁ ହୀନସ୍ତା ହେବାକୁ ପଡ଼ିଥିଲା।