ଟ୍ରକ ଧକ୍କାରେ ନିର୍ବାହୀ ଅଧିକାରୀ ଗୁରୁତର: ଥାନାରେ ଘଣ୍ଟାଏ ଅପେକ୍ଷା କରି ଫେରିଲେ ବିଡିଓ

ଖଇରା, ୧୧ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ଜଣେ କର୍ମଚାରୀ ଟ୍ରକ ଧକ୍କାରେ ଗୁରୁତର ହେବା ଏବଂ ସମ୍ପୃକ୍ତ ଟ୍ରକ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ଖଇରା ବିଡିଓ ହଟହଟା ହୋଇ ଫେରିବା ମୋ ସରକାରର ବିଫଳତାକୁ ପ୍ରମାଣ କରିଛି ା ଖଇରା ବ୍ଲକ ରପେୟା ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ବିବେକ ମହାନ୍ତି ଶୁକ୍ରବାର ସମ୍ପୃକ୍ତ ପଞ୍ଚାୟତରେ ରାଶନକାର୍ଡଧାରୀମାନଙ୍କୁ ଟଙ୍କା ବାଣ୍ଟି ସାରି ରାଣିତାଲ-ଧୋବାଗଡିଆ ରାସ୍ତାରେ ଖଇରା ବ୍ଲକ କାର୍ଯ୍ୟାଳୟକୁ ଫେରୁଥିଲେ। ଡୁଙ୍ଗୁରା ବଜାର ନିକଟରେ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେବାରୁ ସେ ଗୁରୁତର ହେବା ସେ ସଂଜ୍ଞାହୀନ ହୋଇପଡିଥିଲେ। ଖବରପାଇ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ବିବେକଙ୍କୁ ଭଦ୍ରକ ପଠାଇଥିଲେ ା ନିଜେ ବିଡିଓ ଅଧିକାରୀ ମହାନ୍ତିଙ୍କ ପୁଅଝିଅଙ୍କୁ ସାଙ୍ଗରେ ଧରି ଟ୍ରକ ବିରୋଧରେ ଏତଲା ଦେବାକୁ ଖଇରା ଥାନାକୁ ଯାଇ ୧ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ଏତଲା ନେବାକୁ ସିଟ୍‌ରେ କେହି ନ ଥିଲେ ବା କେହି କ୍ୱାର୍ଟର୍ସରୁ ବାହାରି ନ ଥିଲେ। ବାଧ୍ୟ ହୋଇ ଗୁରୁତର ଅବସ୍ଥାରେ ଥିବା କର୍ମଚାରୀଙ୍କ କଥା ବୁଝିବାକୁ ସେ ପଳାଇଥିଲେ। ମହାନ୍ତିଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ା ଏ ସମ୍ପର୍କରେ ଖଇରା ଥାନା ଆଇଆଇସି ସୁବ୍ରତ କୁମାର ବେହେରାଙ୍କୁ ପଚାରିବାରେ ଅପରାହ୍ନରେ ଦାୟିତ୍ୱରେ ଥିବା ଷ୍ଟାଫ୍‌ ଜଣକ ଅଳ୍ପ ସମୟ ପାଇଁ ବାହାରକୁ ଯାଇଥିଲେ ା ବିଡିଓ ମାତ୍ର ୫ରୁ ୭ ମିନିଟ୍‌ ଅପେକ୍ଷା କରି ଫେରିଯାଇଛନ୍ତି ା ଘଣ୍ଟାଏ ଅପେକ୍ଷା କରିବା କଥାକୁ ସେ ଅସ୍ବୀକାର କରିଛନ୍ତି ା

Share