Categories: ଜାତୀୟ

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମଦାବାଦ ପହଞ୍ଚିଲେ ୨୦୦ ଆମେରିକା ସୁରକ୍ଷାକର୍ମୀ: ସ୍ବତନ୍ତ୍ର ଗାଡିରେ କରିବେ ରୋଡ ଶୋ’

ଅହମଦାବାଦ,୧୮।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତ ୨୪-୨୫ରେ ସେମାନେ ଭାରତ ଆସୁଥିବା ବେଳେ ଏହା ପୂର୍ବରୁ ସୁରକ୍ଷାର ସମସ୍ତ ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଖାପାଖି ଏକ ସପ୍ତାହ ପୂର୍ବରୁ ଆମେରିକାର ୨ଶହ ସୁରକ୍ଷାକର୍ମୀ ଅହମଦାବାଦ ପହଞ୍ଚି ସାରିଥିବା ଜଣାପଡିଛି। ଏମାନେ ସ୍ବତନ୍ତ୍ର ବିମାନରେ ଆସି ଭାରତରେ ପହଞ୍ଚିଛନ୍ତି। ହରକ୍ୟୁଲେସ ବିମାନରେ ଆସିଥିବା ଏହି ସୁରକ୍ଷାକର୍ମୀ ଓ ସ୍ନାଇପରଙ୍କ ସହ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ଉପକରଣ ମଧ୍ୟ ଆସିଯାଇଛି। ଟ୍ରମ୍ପଙ୍କ ରୋଡ ଶୋ’ରେ ସାମିଲ ହେବାକୁ ଥିବା ଗାଡ଼ି, ଫାୟାର ସେପ୍ଟି ସିଷ୍ଟମ ଓ ସ୍ନାଇପ କ୍ୟାମେରା ଭଳି ଅନେକ ଜିନିଷ ଆସିଛି। ଏହା ପୂର୍ବରୁ ଟ୍ରମ୍ପ ଗସ୍ତ କରିବାକୁ ଥିବା ଷ୍ଟାଡିୟରେ ଆମେରିକା ସୁରକ୍ଷାକର୍ମୀ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲି ସାରିଛନ୍ତି। ଏହାସହ ଭାରତର ସୁରକ୍ଷା ଏଜେନ୍ସି ଓ ଗୁଜରାଟ ପୋଲିସ ଦ୍ୱାରା ଅଲଗା କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ତେବେ ଟ୍ରମ୍ପଙ୍କ ଗସ୍ତ ସମୟରେ ଅହମଦାବାଦ ଆକାଶରେ କୌଣସି ବିମାନ ଉଡିପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଟ୍ରମ୍ପ ଯେଉଁ ଗାଡିରେ ରୋଡ ଶୋ’ କରିବେ ଏହା କୌଣସି ଯୁଦ୍ଧ ଟ୍ୟାଙ୍କଠାରୁ କମ୍‌ ନୁହେଁ ବୋଲି ଜଣାପଡିଛି। ଏଥିରେ ସୁରକ୍ଷା ବ୍ୟବସ୍ଥା ଏପରି କରାଯାଇଛି ଯେ ବାହାରର କୌଣସି ଶକ୍ତି ଏହାକୁ ଭେଦ କରିପାରିବ ନାହିଁ। ଏହି ବୁଲେଟ୍‌ ଫ୍ରୁଫ୍‌ ଗାଡିରେ ଡ୍ରାଇଭରଙ୍କ ପାଇଁ ଅଲଗା ଚାମ୍ବର ଥିବା ବେଳେ ସେ ରାଷ୍ଟ୍ରପତିଙ୍କ କୌଣସି କଥାବାର୍ତ୍ତ ବା ଆଲୋଚନାକୁ ଶୁଣି ପାରିବେ ନାହିଁ। ଆର୍ମଡ ଲିମୋଜିନ ନାମକ ଏହି ଗାଡି ୨୦୧୮ରେ ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ସାମିଲ କରାଯାଇଥିଲା। ଏହାକୁ ଦି ବିଷ୍ଟ ମଧ୍ୟ କୁହାଯାଇଥାଏ। ଏଥିରେ ଜିପିଏସ୍‌ ଟ୍ରାକିଙ୍ଗ ସିଷ୍ଟମ ଲାଗିଛି, ଯାହା ପ୍ରତି ସେକେଣ୍ଡରେ ଗତିବିଧି ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ।

Share