Categories: ଜାତୀୟ

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବିବାଦ

ଅହମଦାବାଦ,୨୦ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ବିବାଦ ଦେଖାଦେଇଛି। ଗୁଜରାଟର ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ ପକ୍ଷରୁ ଦେବ୍‌ ଶରନ୍‌ ବସ୍ତିରେ ରହୁଥିବା ୪୫ ପରିବାରକୁ ୭ ଦିନ ମଧ୍ୟରେ ଘର ଖାଲି କରିବାକୁ ନୋଟିସ ଦିଆଯାଇଛି। ଏହାକୁ ନେଇ ଚାପା ଉତ୍ତେଜନା ଆରମ୍ଭ ହୋଇଛି। ଏହି ବସ୍ତି ମୋଟେରୋ ଷ୍ଟାଡିୟମ୍‌କୁ ଲାଗିକରି ରହିଛି। ୨୪ରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଟ୍ରମ୍ପ ମୋଟେରୋ ଷ୍ଟାଡିୟମ୍‌ରୁ ବାହାରି ଏହି ବସ୍ତି ଦେଇ ରୋଡ୍‌ ଶୋ’ରେ ଯିବେ। ତେବେ ବସ୍ତି ଛାଡ଼ିବା ଲାଗି ନୋଟିସ ମିଳିବା ପରେ ୨୦୦ ବସ୍ତିବାସିନ୍ଦା ଏହାକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ୨୨ ବର୍ଷ ଧରି ନିର୍ମାଣ ଶ୍ରମିକ ଭାବେ ଏଠାରେ ରହିଆସୁଥିବା ବେଳେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ଲାଗି ବିଦା କରାଯାଉଛି। ତେବେ କାର୍ଯ୍ୟକ୍ରମ ସହ ବସ୍ତିବାସିନ୍ଦାଙ୍କୁ ଉଠାଯିବାର କୌଣସି ସମ୍ପର୍କ ନାହିଁ ବୋଲି ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ ପକ୍ଷରୁ ସଫେଇ ଦିଆଯାଇଛି। ପ୍ରକାଶଥାଉ କି, ପୂର୍ବରୁ ବସ୍ତି ଦେଖା ନ ଯିବା ଲାଗି ସରକାରଙ୍କ ପକ୍ଷରୁ ପ୍ରାଚୀର ନିର୍ମାଣ କରାଯାଇଥିଲା।
ଅନ୍ୟପକ୍ଷରେ ନିଜେ ଟ୍ରମ୍ପ ଭାରତ ଗସ୍ତ ବେଳେ ବାଣିଜି୍ୟକ ଚୁକ୍ତି ହୋଇ ନ ପାରେ ବୋଲି କହିଛନ୍ତି। ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପରେ ଏହା କରାଯାଇ ପାରେ ବୋଲି ସେ ପ୍ରକାଶ କରିଛନ୍ତି। ଭାରତ କେତେକ କାରଣରୁ ଆମକୁ ଭଲରେ ଦେଖୁନାହିଁ। କିନ୍ତୁ ମୋଦି ମତେ ଭଲ ଲାଗନ୍ତି ଓ ଆସିବା ବାଟକୁ ଚାହିଁ ରହିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ବାଣିଜି୍ୟକ ପ୍ରତିନିଧି ରବର୍ଟ ଲାଇଥିଜ୍‌ରେ ଟ୍ରମ୍ପଙ୍କ ସହ ଭାରତ ଗସ୍ତରେ ଆସୁ ନ ଥିବା ଜଣାପଡ଼ିଛି। ଭାରତ ବାଣିଜି୍ୟକ ଚୁକ୍ତି ଆଶାରେ ରହିଥିବା ବେଳେ ଟ୍ରମ୍ପଙ୍କ ମନ୍ତବ୍ୟ ନିରାଶ କରିଛି। କେନ୍ଦ୍ରର ବ୍ୟାପକ ପ୍ରସ୍ତୁତି ସତ୍ତ୍ୱେ ଟ୍ରମ୍ପଙ୍କ ମନ୍ତବ୍ୟ ଭାରତକୁ ନିରାଶ କରିଛି।

Share