ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ଚିନ୍ତାରେ ପାକିସ୍ତାନ

ଇସ୍‌ଲାମାବାଦ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃୟାରୀରେ ଭାରତ ଗସ୍ତ କରିପାରନ୍ତି। ଏବେ ଏହି ଖବର ପାକିସ୍ତାନକୁ ଚିନ୍ତାରେ ପକାଇ ଦେଇଥିବା ଜଣାପଡିଛି। ଏହାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଚିନ୍ତା ପ୍ରକଟ କରିବା ସହ ଟ୍ରମ୍ପ ଭାରତ ଯିବା ସମୟରେ ଅଥବା ଫେରିବା ସମୟରେ ପାକିସ୍ତାନ ଆସନ୍ତୁ ବୋଲି ଇମ୍ରାନ କହିଥିବା ଆଲୋଚନା ହେଉଛି। ହେଲେ ଏମିତି ହେବା ସମ୍ଭବ ନୁହେଁ ବୋଲି ମଧ୍ୟ କୁହାଯାଉଛି। ପାକିସ୍ତାନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇମ୍ରାନ ଏଥିପାଇଁ ଟ୍ରମ୍ପଙ୍କ ଗସ୍ତକୁ ଗୁରୁତ୍ୱ ଦେଉଛନ୍ତି, କାରଣ ସେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଟ୍ରମ୍ପ ପାକିସ୍ତାନ ଗସ୍ତ କରନ୍ତୁ ବୋଲି ସେ ଚାହୁଁଥିଲେ। ହେଲେ ଏହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ। ତେବେ ଇମ୍ରାନଙ୍କର ଜଣେ ନିକଟତରଙ୍କ ସୂଚନା ଅନୁଯାୟୀ, ଟ୍ରମ୍ପ ପାକିସ୍ତାନ ଯିବାରେ ସେମିତି କିଛି କାରଣ ନାହିଁ। ହେଲେ ସୁରକ୍ଷା ଦୃଷ୍ଟିରୁ ସେ ସେଠାକୁ ଯାଉ ନାହାନ୍ତି ଆଉ ଏହା ଇମ୍ରାନ ଭଲଭାବେ ଜାଣିଛନ୍ତି। ସୂଚନା ଅନୁଯାୟୀ, ପାକିସ୍ତାନର ଇମ୍ରାନ ସରକାର ଦରଦାମ ବୃଦ୍ଧି, ଅର୍ଥବ୍ୟବସ୍ଥା ଓ ବେରୋଜଗାର ସମସ୍ୟାର ସମାଧାନ କରି ପାରି ନ ଥିବା ବେଳେ କଶ୍ମୀର ସମସ୍ୟା ଓ ଅନ୍ୟ କିଛି ସମସ୍ୟାକୁ ନେଇ ମଧ୍ୟ ମୁସଲମାନ ଦେଶ ଅବା ବିଶ୍ୱ ସମୁହକୁ ନିଜ ଆଡକୁ ଆଣିବାକୁ ସକ୍ଷମ ହୋଇନାହିଁ। ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପରେ ପାକିସ୍ତାନକୁ ଏକ ଝଟକା ଲାଗିବ ବୋଲି କୁହାଯାଉଛି।

Share