‘ଟ୍ରମ୍ପଙ୍କ ଭୂଗୋଳ ଜ୍ଞାନ କମ୍‌’

ୱାଶିଂଟନ,୧୭।୧:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭୂଗୋଳ ଜ୍ଞାନ କମ । ଭାରତ ଏବଂ ଚାଇନା ମଧ୍ୟରେ ଅନ୍ତର୍ଜାତୀୟ ସୀମା ରହିଛି ବୋଲି ସେ ଜାଣିନାହାନ୍ତି। ଦୁଇଜଣ ପୁଲିଟ୍‌ଜର ପୁରସ୍କାର ବିଜେତା ଆମେରିକାର ଖବରଦାତା ‘ଏ ଭେରି ଷ୍ଟାବଲ ଜିନିୟସ୍‌’ ଶୀର୍ଷକ ଏକ ପୁସ୍ତକରେ ଏହା ଦାବି କରିଛନ୍ତି। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଚକିତ କରିଥିଲା ବୋଲି ଉକ୍ତ ବହିରେ ଉଲ୍ଲେଖ ରହିଛି।
ପୋଷ୍ଟର ଦୁଇ ଖବରଦାତା ଫିଲିପ୍‌ ରୁକର ଏବଂ କାରୋଲ ଡି ଲିୟୋନିଗଙ୍କ ଦ୍ୱାରା ଲେଖାଯାଇଥିବା ‘ଏ ଭେରି ଷ୍ଟାବଲ ଜିନିୟସ୍‌’ ପୁସ୍ତକରେ ଟ୍ରମ୍ପ୍‌ଙ୍କ ପ୍ରଥମ ତିନି ବର୍ଷର ଶାସନକାଳରେ ଘଟିଥିବା ଏପରି ଅନେକ ଘଟଣା ଗୁଡିକୁ ସ୍ଥାନ ଦିଆଯାଇଛି। ବ୍ୟବସାୟୀରୁ ରାଜନେତା ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ସାକ୍ଷାତ୍‌କାରର ଉଲ୍ଲେଖ କରି ପୁସ୍ତକରେ ବାଦି କରାଯାଇଛି ଯେ, ଟ୍ରମ୍ପ ଏହି ବୈଠକରେ ମୋଦିଙ୍କୁ କହିଥିଲେ, ‘ଏପରି ନୁହେଁ ଯେ ଚାଇନା ସୀମା ଆପଣଙ୍କ ସୀମାକୁ ଲାଗିଛି’। ଏହା ଶୁଣିବା ପରେ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଥିଲେ। ତେବେ କେଉଁ ବର୍ଷ ଏହି ବୈଠକ ହୋଇଥିଲା ଏହା ସେଥିରେ ଉଲ୍ଲେଖ କରାଯାଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଭାରତ ଏବଂ ଚାଇନା ମଧ୍ୟରେ ୩,୪୮୮ କି.ମି ବିସ୍ତୃତ ଅନ୍ତର୍ଜାତୀୟ ସୀମା ରହିଛି।

Share