Categories: ଜାତୀୟ

ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ସୁରକ୍ଷାରେ ନିୟୋଜିତ ହେବେ ୧୦ ହଜାର ପୋଲିସ

ଅହମଦାବାଦ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇ ଆସନ୍ତା ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ଦିଲ୍ଲୀ ବ୍ୟତୀତ ଗୁଜରାଟର ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେଠାରୁ ସଜେଇ ହେଲାଣି ଗୁଜରାଟ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ସାଜସଜ୍ଜାରେ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଇଛି। ତେବେ ଟ୍ରମ୍ପ୍‌ଙ୍କ ଗସ୍ତ ସମୟରେ ଯେଉଁ ସୁରକ୍ଷା ବ୍ୟବସ୍ଥା କରାଯିବ ସେଥିରେ ପ୍ରାୟ ୧୦-୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହାକୁ ନେଇ ଶନିବାର ଅହମଦାବାଦ ଡିସିପି ବିଜୟ ପଟେଲ କହିଛନ୍ତି, ଟ୍ରମ୍ପ୍‌ଙ୍କ ଗସ୍ତ ସମୟରେ ସୁରକ୍ଷା ପାଇଁ ୧୦ ହଜାର ପୋଲିସ ନିୟୋଜିତ ରହିବେ। ଏମାନଙ୍କ ମଧ୍ୟରେ ୨୫ ଆଇପିଏସ୍‌, ୬୫ ଏସିପି, ୨୦୦ ପୋଲିସ ଇନ୍ସପେକ୍ଟର, ୮ ଶହ ସବ୍‌ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଫେବୃୟାରୀ ୨୪ରେ ଟ୍ରମ୍ପ୍‌ ଦମ୍ପତି ଅହମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ‘କେମ୍‌ ଛୋ, ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଏମାନେ ଯୋଗଦେବେ।

Share