ଟ୍ରମ୍ପ୍‌ଙ୍କ ଆସନ ଟଳମଳ: ଆମେରିକା ସ୍ଥିତି ଅସମ୍ଭାଳ

ଓ୍ବାଶିଂଟନ,୩୦ା୩: କୋଭିଡ୍‌-୧୯ ମାଡ଼ରେ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ପାଲଟିବାକୁ ଯାଉଛି ଶକ୍ତିଶାଳୀ ଆମେରିକା। ମହାମାରୀ କରୋନା ବିଶ୍ୱବ୍ୟାପୀ କାୟା ବିସ୍ତାର କରି ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଥିବାବେଳେ ଏହାକୁ ‘ଚାଇନା ଭୂତାଣୁ’ ବୋଲି କଟାକ୍ଷ କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ଗାଲରେ ହାତ ଦେଇ ବସିଛନ୍ତି। କାରଣ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧,୨୫,୩୦୮ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୨,୨୪୬ ଛୁଇଁଛି। ବେଳ ଥାଉ ଥାଉ ଟ୍ରମ୍ପ୍‌ କାହିଁକି ଲକ୍‌ଡାଉନ୍‌ ଘୋଷଣା କଲେ ନାହିଁ ବୋଲି ଏବେ ଆମେରିକାବାସୀ ପ୍ରଶ୍ନ କରିବା ଆରମ୍ଭ କରିଦେଲେଣି। ଆସନ୍ତା ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ପୁନଃ ନିର୍ବାଚିତ ହେବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟ୍ରମ୍ପ୍‌ଙ୍କ ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ତାଙ୍କ ଆସନକୁ ଟଳମଳ କରିଦେଇଛି। ଭୂତାଣୁ ସଂକ୍ରମଣ ରୋକିବାରେ ବିଫଳ ଟ୍ରମ୍ପ୍‌ ଆଗାମୀ ନିର୍ବାଚନରେ ପରାଜିତ ହେବେ ବୋଲି କେତେକ ବିଶ୍ଲେଷକ ଏବେଠୁ ଭବିଷ୍ୟବାଣୀ କଲେଣି।
ଚାଇନାର ଉହାନ ସହରରୁ ବାହାରି ୨୦୦ ଦେଶକୁ ବ୍ୟାପିସାରିଛି କରୋନା ଭାଇରସ୍‌। ଏହି ଘାତକ ଭୂତାଣୁକୁ ଚାଇନା ତିଆରି କରିଥିଲା ବୋଲି ଏକ ରିପୋର୍ଟ ରବିବାର ସାମ୍ନାକୁ ଆସିଛି। ଏହି ଭୂତାଣୁ ବିକଶିତ କରିବା ଲାଗି ଆମେରିକା ବେଜିଂ ସହ ଡିଲ୍‌ କରିଥିଲା ବୋଲି ଚାଇନାର ଜଣେ ବରିଷ୍ଠ ଅଧିକାରୀ ପ୍ରଘଟ କରିଛନ୍ତି। ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। କରୋନା ଭୂତାଣୁ ଅନ୍ୟ ଦେଶଗୁଡ଼ିକୁ ବ୍ୟାପିବା ଆରମ୍ଭ କରିଥିବାବେଳେ ଏହାକୁ ‘ଚାଇନିଜ୍‌ ଭାଇରସ୍‌’ର ଆଖ୍ୟା ଦେଇ ଚାଇନାକୁ କଟାକ୍ଷ କରୁଥିଲେ ଟ୍ରମ୍ପ। ସେ ଅନେକ ସମୟରେ ଏପରି ଉଲ୍ଲେଖ କରି ଟୁଇଟ୍‌ ମଧ୍ୟ କରିଥିଲେ। ଏପରି କି ଭାରତ ସମେତ ଅନ୍ୟ କେତେକ ରାଷ୍ଟ୍ରରେ ଲକ୍‌ଡାଉନ୍‌ ଘୋଷଣା କରାଯିବାବେଳେ ଟ୍ରମ୍ପ୍‌ କହିଥିଲେ, ଆମେରିକା ପ୍ରତି କିଛି ବିପଦ ନାହିଁ। ଆମେରିକୀୟମାନେ ଘରେ ବସି ରହିପାରିବେ ନାହିଁ। ଆମେ ଲକ୍‌ଡାଉନ୍‌ କରିବୁ ନାହିଁ ବୋଲି ଆସ୍ଫାଳନ କରୁଥିଲେ। ହେଲେ ଏବେ ପାଣି ବେକ ଯାଏ ଉଠିଲାଣି। ଫଳରେ ଟ୍ରମ୍ପ୍‌ କରୋନାର ମୁକାବିଲା ପାଇଁ ଚାଇନାର ସହାୟତା ଲୋଡ଼ିଛନ୍ତି। ଆମେରିକାର ଅର୍ଥନୀତିକୁ କରୋନା ଭାଇରସ୍‌ ସାଂଘାତିକ ଭାବେ ପ୍ରଭାବିତ କରିଛି। ସବୁଠୁ ବେଶି ବିପର୍ଯ୍ୟସ୍ତ ହୋଇଛି ବ୍ୟବସାୟ ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ର। ତେଣୁ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଟ୍ରମ୍ପ୍‌ ଶୁକ୍ରବାର ୨ ଟ୍ରିଲିୟନ୍‌ ଡଲାରର ଜରୁରୀ ପ୍ୟାକେଜ ଘୋଷଣା କରିଛନ୍ତି।

Share