Categories: ଜାତୀୟ

ଟ୍ରମ୍ପ୍‌ଙ୍କ ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୧୦୦ କୋଟି

ନୂଆଦିଲ୍ଲୀ,୧୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆସନ୍ତା ୨୪ରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ହାଇପ୍ରୋଫାଇଲ ଗସ୍ତ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ କରୁଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ୨୪ରେ ଟ୍ରମ୍ପ୍‌ ଅହମଦାବାଦ ଗସ୍ତରେ ଯାଇ ସେଠାରେ ୩ ଘଣ୍ଟା ବିତାଇବେ। ତାଙ୍କୁ ସ୍ବାଗତ କରିବା ପାଇଁ ଗୁଜରାଟ ସରକାର ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏଥିପାଇଁ ପ୍ରସ୍ତୁତି ପୂରାଦମ୍‌ରେ ଚାଲିଛି। ଟ୍ରମ୍ପ୍‌ଙ୍କ ସ୍ବାଗତ କାର୍ଯ୍ୟକ୍ରମରେ ଅର୍ଥ ବାଧକ ହେବା ଉଚିତ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି। ଅହମଦାବାଦରେ ରାସ୍ତା ମରାମତି ଓ ସହର ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ମ୍ୟୁନିସିପାଲ କର୍ପୋରେଶନ ଏବଂ ଅହମଦାବାଦ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ (ଏୟୁଡିଏ)କୁ ଦିଆଯାଇଛି। ୧୭ଟି ରାସ୍ତାର ମରାମତି ଓ ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ୍‌ ୧.୫ କିଲୋମିଟର ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୬୦ କୋଟି ମଞ୍ଜୁର ହୋଇଛି। ଏହାବ୍ୟତୀତ ଅନ୍ୟ ରାସ୍ତା ପାଇଁ ୨୬ କୋଟି ବ୍ୟୟ ହେବ। ସବୁ ବିଭାଗକୁ ଠିକ୍‌ ସମୟରେ ପ୍ରସ୍ତୁତି ଶେଷ କରିବାକୁ କୁହାଯାଇଛି।

Share