Advertisement

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍‌: ଦୁଇ ଭାଇ ମୃତ

ବଡ଼ଗାଁ, ୬।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କୁମ୍‌ବାହାଲ ଗ୍ରାମରେ ଗୁରୁବାର ରାତି ସାଢ଼େ ୮ଟାରେ ଏକ ଦୁର୍ଘଟଣା ଘଟିଛି। ଟ୍ରାକ୍ଟରକୁ ବାଇକ୍‌ ଧକ୍କା ଦେବାରୁ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଯୋଗେଶ୍ୱର ସୁନ୍ୟାନୀ (୩୨) ଓ ତାଙ୍କ ସାନ ଭାଇ କିରଟ ସୁନ୍ୟାନୀ (୨୭)। ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତାହତଙ୍କ ଘର ବଡ଼ଗାଁ ଥାନା ବରଙ୍ଗାକଛାର ଗ୍ରାମରେ।
ପ୍ରକାଶ ଯେ, ଯୋଗେଶ୍ୱର ଜରଙ୍ଗଲୋଇଗ୍ରାମ ସ୍ଥିତ ଗ୍ରୀଡ ସବ୍‌ଷ୍ଟେସନରେ ଓ କିରଟ ରାଜଗାଙ୍ଗପୁର ଓସିଏଲରେ କାମ କରୁଥିଲେ। ଦୁଇ ଭାଇ ଓ ବରଙ୍ଗାକଛାର ଗ୍ରାମର ରସାନନ୍ଦ ପ୍ରଧାନ (୨୫) ବାଇକ୍‌ରେ ନିଜ ଗ୍ରାମକୁ ରାତି ସାଢ଼େ ୮ଟାରେ ଯାଉଥିଲେ। କୁମବାହାଲ ଗାଁ ରାସ୍ତା ପାର୍ଶ୍ୱରେ ଥିବା ଟ୍ରାକ୍ଟର ହଠାତ୍‌ ରାସ୍ତା ଉପରକୁ ଆସିଯିବାରୁ ବାଇକ୍‌ ଟ୍ରାକ୍ଟରରେ ପିଟି ହୋଇଥିଲା। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସୁନ୍ଦରଗଡ ମେଡିକାଲ ପଠାଇଥିଲେ। ସେଠାରେ ଯୋଗେଶ୍ୱର ଓ କିରଟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ରସାନନ୍ଦଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟର ଜରଙ୍ଗଲୋଇ ଗ୍ରାମର ଅରୁଣ ପୃଷେଟଙ୍କ ବୋଲି ଜଣାପଡିଛି। ପୋଲିସ ଟ୍ରାକ୍ଟରକୁ ଜବତ କରି ଘଟଣାର ତଦନ୍ତ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share