ଟ୍ରାକ୍ଟରରୁ ପଡ଼ିଗଲେ ଶ୍ରମିକ, ଟ୍ରଲି ଚକ ଚଢିଗଲା

ସମ୍ବଲପୁର,୧୨।୫(ବ୍ୟୁରୋ): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ବୁଢ଼ାରଜା ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଟ୍ରଲିର ଚକ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଶାସନ ଥାନା ଜମାଦାରପାଲି ଗ୍ରାମର ଅର୍ଜୁନ ଖଡିଆ (୨୫)। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଥାନାରେ ୨୩୨/୨୦ରେ ଏକ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ମୁତାବକ ସକାଳ ୫ଟାରେ ଟ୍ରାକ୍ଟର (ଓଡି ୧୫ ଡି- ୬୨୭୭)ଟି ଇଟା ନେଇ ଯାଉଥିଲା। ଟ୍ରଲିରେ ଶ୍ରମିକ ଅର୍ଜୁନ ବସିଥିଲେ। ହେଲେ ଦ୍ରୁତଗତିରେ ଗାଡି ଯାଉଥିବାବେଳେ ସେ ତଳେ ପଡି ଯାଇଥିଲେ। ଟ୍ରାକ୍ଟରର ଟ୍ରଲି ଚକ ତାଙ୍କ ଉପରେ ଚଢ଼ି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଅଇଁଠାପାଲିସ୍ଥିତ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।