ଆର.ଉଦୟଗିରି,୯ା୬(ଡି.ଏନ.ଏ)- ରାମଗିରି ଥାନା ନିକଟସ୍ଥ ରାଇଗଡ଼ା ବ୍ଲକ ବୋଲଡ଼ାଗୁମା ଛକ ନିକଟରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବାଲିଡ଼ି ଗ୍ରାମର ମଣ୍ଟୁ ପ୍ରଧାନ। ବଡ଼ପୁତାର ଗ୍ରାମରୁ ବିଦ୍ୟୁତ ପୋଲ୍ ବୋଝେଇ କରି ଟ୍ରାକ୍ଟରଟି ଯାଉଥିବାବେଳେ ୬ ଜଣ ଶ୍ରମିକ ବସିଥିଲେ। ବୋଲଡ଼ାଗୁମା ଛକ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତାକଡ଼କୁ ଓଲଟି ପଡିଥିଲା। ଚାଳକ ସମେତ ୭ ଜଣ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡ଼ାକ୍ତର ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଯାଇଥିବା ରାମଗିରି ଥାନାଧିକାରୀ ବିକାଶ କୁମାର ସେଠୀ ସୂଚନା ଦେଇଛନ୍ତି।