ଟ୍ରାକ୍ଟର ଧକ୍କାରେ ଯୁବକ ମୃତ : ଉତ୍ତେଜନା, ରାସ୍ତାରୋକୋ

ଢେଙ୍କାନାଳ ଅଫିସ, ୧୨।୫- ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ଗ୍ରାମରେ ଶୁକ୍ରବାର ରାତିରେ ଟ୍ରାକ୍ଟର ଧକ୍କାରେ ବାସୁଦେବ ବରାଳ(୨୪)ଙ୍କ ମୃତ୍ୟୁ ଘଟିଛି। ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଶନିବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ମଜୁରି ଛକରେ ଢେଙ୍କାନାଳ-ଭାପୁର ରାସ୍ତା ଅବରୋଧ କରିଥିଲେ। ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ ଥାନାଧିକାରୀ ଅଭିନବ ଡାଳୁଆ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକୋ ହଟିଥିଲା।

ବାସୁଦେବ ଶୁକ୍ରବାର ସନ୍ଧ୍ୟା ୭ଟାରେ ଗ୍ରାମରୁ ଛକ ଆଡ଼କୁ ବାଇକ୍‌ରେ ଆସୁଥିବାବେଳେ ବିପରୀତ ପାର୍ଶ୍ୱରୁ ଆସୁଥିବା ଉକ୍ତ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଅପରାହ୍ନ ୨ଟାରେ ଗ୍ରାମକୁ ଅଣାଯାଇଥିଲା। ଅଞ୍ଚଳବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ରାକ୍ଟର ଚାଳକଙ୍କୁ  ଗିରଫ କରିବା ଦାବି କରି ରାସ୍ତାରୋକୋ କରିଥିଲେ।