Categories: ଖେଳ

ଟ୍ରାକ୍‌ ଏସିଆ କପ୍‌ : ସାଇକ୍ଲିଂ ଜାତୀୟ ରେକର୍ଡ ସହ ବ୍ରୋଞ୍ଜ ଜିତିଲେ ସ୍ବସ୍ତି

କଟକ ଅଫିସ, ୧୨ା୯-  ଓଡ଼ିଶାର ସ୍ବସ୍ତି ସିଂ ଟ୍ରାକ୍‌ ଏସିଆ ଅନ୍ତର୍ଜାତୀୟ ସାଇକ୍ଲିଂ ପ୍ରତିଯୋଗିତାରେ ନୂଆ ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡ଼ିୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଜୁନିୟର ମହିଳା ୨ କିମି ଇଣ୍ଡିଭିଜୁଆଲ୍‌ ପର୍ସୁଟ୍‌ ଇଭେଣ୍ଟକୁ ୨ମିନିଟ୍‌ ୩୫ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି । ଗତବର୍ଷ ମଧ୍ୟ ସ୍ବସ୍ତି ଏହି ଇଭେଣ୍ଟକୁ ୨ମିନିଟ୍‌ ୪୧ ସେକେଣ୍ଡରେ ଶେଷ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତା ୯ତାରିଖରୁ ଆରମ୍ଭ ହୋଇ ବୁଧବାର ଶେଷ ହୋଇଛି । ଇଭେଣ୍ଟରେ କାଜାକସ୍ତାନ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଉଜବେକିସ୍ତାନ ପ୍ରତିଯୋଗୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ବୁଧବାର ଅନୁଷ୍ଠିତ ୭କିମି ବିଶିଷ୍ଟ ସ୍କ୍ରାଚ୍‌ ଇଭେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ବସ୍ତି ୪ର୍ଥ ସ୍ଥାନରେ ରହିଥିଲେ । ଏହି ସଫଳତା ପାଇଁ ବଲିଉଡ୍‌ ଷ୍ଟାର ଦିଶା ପଟାନୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି୍‌। ସେହିପରି ରାଉରକେଲା ପାନପୋଷ କ୍ରୀଡ଼ା ସଂଗଠନ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି । ସୂଚନାଯୋଗ୍ୟ ସ୍ବସ୍ତିଙ୍କ ବାପା ଅମର ସିଂ ଉତ୍ତରପ୍ରଦେଶର ହୋଇଥିବାବେଳେ ସେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ କାର୍ଯ୍ୟରତ । ସ୍ବସ୍ତି ଓଡ଼ିଶାରେ ଜନ୍ମ ହେବା ସହ ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି ।

Share