ଟ୍ରାନ୍ସଫର୍ମର ପୋଡି ୧୫ଦିନ ହେଲା ଜଳଯୋଗାଣ ବନ୍ଦ

ଜହ୍ନାପଙ୍କ,୧୯।୭(ଡି.ଏନ.ଏ.)-ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗରରେ ଟ୍ରାନ୍ସଫର୍ମର ପୋଡିଯିବାରୁ ୧୫ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି । ଫଳରେ ଲୋକମାନେ ପାଣି ପାଇଁ ନାନା ଅସୁବିଧା ଭୋଗୁଛନ୍ତି ।
ଲକ୍ଷ୍ମୀପ୍ରସାଦ, ଚନ୍ଦ୍ରପୁର ଓ ବାଘପାଲି ଗାଁକୁ ଜଳଯୋଗାଣ ପାଇଁ ଚଣ୍ଡିତଳ ହୁଡାରେ ଏକ ଜଳଯୋଗାଣ ପ୍ରକଳ୍ପ ହୋଇଥିଲା। ଏହି ପ୍ରକଳ୍ପରୁ ନାରାୟଣ ନଗରବାସୀ ପାନୀୟ ଜଳ ପାଇଲେ କିନ୍ତୁ ଚନ୍ଦ୍ରପୁର ଓ ବାଗପାଲି ଗ୍ରାମକୁ ଜଳ ଯୋଗାଣ ହୋଇପାରିଲା ନାହିଁ । ଆବଶ୍ୟକତା ଦୃଷ୍ଟିିରୁ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଆଉ ଗୋଟିଏ ବୋରଓ୍ବେଲ ଖୋଳି ପୁଣି ଟ୍ରାନ୍ସଫର୍ମର ବସି ଦୁଇଟି ବୋରଓ୍ବେଲକୁ ଲପିଙ୍ଗ୍‌ କରାଯାଇ ଜଳଯୋଗାଣ ହେଲା । ପୁଣି ପାଣିର ପ୍ରେସର ରହୁ ନ ଥିବାରୁ ଓଭରହେଡ ଟାଙ୍କି ନିର୍ମାଣ କରାଗଲା । ମାତ୍ର ନାରାୟଣ ନଗରରେ ଥିବା ସମସ୍ତ ଟ୍ୟାପ୍‌ରୁ ପାଣିବାହାରିଲା ନାହିଁ । ଲୋକଙ୍କ କହିବା ମୁତାବକ ଘରକୁ ସଂଯୋଗ ନେଇଥିବା ଉପଭୋକ୍ତାମାନେ ପମ୍ପ ସାହାଯ୍ୟରେ ପାଣି ଉଠାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି । ଅନ୍ୟପକ୍ଷେ ୧୫ଦିନ ତଳେ ଟ୍ରାନ୍ସଫର୍ମର ପୋଡିଯିବାରୁ ଜଳଯୋଗାଣ ବନ୍ଦ ରହିଛି । ଫଳରେ ଏଠାରେ ବସବାସ କରୁଥିବା ୨୦୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଜେଇ-୨ ସନ୍ତୋଷ ବେହେରାଙ୍କୁ ଯୋଗାଯୋଗ କରିବାରୁ ଇଲେକ୍ଟ୍ରି ଦାୟୁତ୍ୱ ଆମର ନୁହେଁ, ଏହା ଇଲେକ୍ଟ୍ରି ଡିପାଟମେଣ୍ଟର ବୋଲି କହିଥିଲେ । ସେହିପରି ୬୦ ହଜାର ଟଙ୍କା ବାକି ଅଛି । ଟଙ୍କା ଡିପୋଜିଟ୍‌ କଲେ ନୂଆ ଟ୍ରାନ୍ସଫର୍ମର ଦିଆଯିବ ବୋଲି ବାଉଁଶୁଣୀର କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ପ୍ରଧାନ କହିଥିଲେ । ତେବେ ଗ୍ରାମ୍ୟ ଜଳ ଯୋଗାଣ କମିଟି ସମ୍ପାଦକ ସୁଜିତ୍‌ ସାହୁଙ୍କୁ ପଚାରିବାରୁ ଉପଭୋକ୍ତାମାନେ ଟଙ୍କା ଦେଉ ନ ଥିବାରୁ ଡିପୋଜିଟ୍‌ ହୋଇପାରୁନାହିଁ ା ଦିନେ ଦୁଇ ଦିନ ମଧ୍ୟରେ ଆଦାୟ କରି ଡିପୋଜିଟ୍‌ କରିଦେବୁ ବୋଲି କହିଥିଲେ ା ଯେଉଁ ଉପଭୋକ୍ତା ଟଙ୍କା ନ ଦେବେ ତାଙ୍କ ସଂଯୋଗ କାଟି ଦିଆଯିବ ବୋଲି ସେ କହିଥିଲେ ।