Categories: ଜାତୀୟ

ଟ୍ରାଫିକ୍‌ ଅପରାଧ ଉଭୟ ଆଇପିସି, ମୋଟରଯାନ ଆଇନରେ ଦଣ୍ଡନୀୟ

ନୂଆଦିଲ୍ଲୀ,୬ା୧୦(ଆଇଏଏନ୍‌ଏସ୍‌): ବେପରଓ୍ବା ଗାଡ଼ିଚାଳନା ଯୋଗୁ ଦୁର୍ଘଟଣାରେ ଅନେକ ଜୀବନ ଯାଉଛି। ଏଥିପାଇଁ ଟ୍ରାଫିକ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କ ବିରୋଧରେ ଉଭୟ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ମୋଟର ଯାନ ଆଇନ (ଏମ୍‌ଭିଏ)ରେ ମୋକଦ୍ଦମା ଚାଲିପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୋଟରଯାନ ଆଇନ ତୁଳନାରେ ଆଇପିସିରେ ଦଣ୍ଡ ଅଧିକ କଠୋର। ଗାଡ଼ି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଦଣ୍ଡର ଆବଶ୍ୟକତା ରହିଛି ବୋଲି ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ଓ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଦୁର୍ଘଟଣା ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ନୁହେଁ କେବଳ ଏମ୍‌ଭିଆଇରେ ମୋକଦ୍ଦମା ରୁଜୁ କରିବା ଲାଗି ଗୌହାଟୀ ହାଇକୋର୍ଟ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଯଦି ଆଇପିସିକୁ ବାଦ୍‌ ଦେଇ କେବଳ ଏମ୍‌ଭି ଆଇନରେ ବିଚାର କରାଯାଏ, ତେବେ ବେପରଓ୍ବା ଗାଡ଼ିଚାଳନା ଯୋଗୁ ମୃତ୍ୟୁ, ଗୁରୁତର ଆହତ, ସାମାନ୍ୟ ଆହତ ଓ ଉଦ୍ଦେଶ୍ୟବିହୀନ ହତ୍ୟା ଆଦି ବୁଝାମଣାଯୋଗ୍ୟ ଅପରାଧ ହୋଇଯିବ। ଫଳରେ ଦୁର୍ଘଟଣାରେ ଯେଉଁ ପରିବାର ରୋଜଗାରିଆ ସଦସ୍ୟଙ୍କୁ ହରାଉଛି ଏବଂ ସମାଜ ପାଇଁ ଯେଉଁ କ୍ଷତି ହେଉଛି ସେଥିପାଇଁ ଉପଯୁକ୍ତ ନ୍ୟାୟ ମିଳିପାରିବ ନାହିଁ ବୋଲି ଖଣ୍ଡପୀଠ ଆଶଙ୍କା ବ୍ୟକ୍ତ କରିଛନ୍ତି।

Share