Categories: ଫୁରସତ

ଟ୍ରାଫିକ୍‌ ଜାମ୍‌ରେ ଫଶିବାରୁ ଏହି ବ୍ୟକ୍ତି ନିଜେ ତିଆରି କଲେ ହେଲିକପ୍ଟର

ଦିନକୁ ଦିନ ରାସ୍ତାଘାଟରେ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବାରୁ ଲୋକେ ଠିକ୍‌ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି। ଏଥିରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ନିଜେ ହେଲିକପ୍ଟର ତିଆରି କରୁଛନ୍ତି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ରହୁଥିବା ଜଣେ ବ୍ୟକ୍ତି ଏପରି ଭିନ୍ନ ଏକ ତରିକା ଆପଣାଇଛନ୍ତି। ପ୍ରତିଦିନ ଟ୍ରାଫିକ୍‌ ଜାମ୍‌ରେ ଫଶି ରହୁଥିବା ଏହି ବ୍ୟକ୍ତି ବିରକ୍ତି ପ୍ରକାଶ କରି ଶେଷରେ ନିଜେ ଏକ ହେଲିପକ୍ଟର ତିଆରି କରୁଛନ୍ତି। ଫଳରେ ସେ ଆଉ ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏହି ବ୍ୟକ୍ତିଙ୍କ ନାମ ଜୁଜୁନ୍‌ ଜୁନୈଦୀ। ଯିଏ କି ଜଣେ ଅଟୋ ମରାମତି ଦୋକାନର ମାଲିକ ଅଟନ୍ତି।
ଏକ ରିପୋର୍ଟ ଅନୁସାରେ, ୮ମିଟର ଲମ୍ବ ବିଶିଷ୍ଟ ଏହି ହେଲିକପ୍ଟର ତିଆରି କରିବା ପାଇଁ ତାଙ୍କୁ ବର୍ଷକରୁ ଅଧିକ ସମୟ ଲାଗିଲାଣି। ସେ କୁହନ୍ତି, ୨୦୨୦ ଶେଷ ଆଡ଼ିକୁ ଏହାର ତିଆରି ସରିଯିବ। ୪୨ ବର୍ଷୀୟ ଜୁଜୁନ୍‌ ହେଲିକପ୍ଟର ଇଞ୍ଜିନ୍‌ କାମ ଶେଷ କରିଛନ୍ତି। ଏଥିରେ ୭୦୦ ସିସି, ୧୪ ହର୍ସପାଓ୍ବାର ବିଶିଷ୍ଟ ଗାର୍ଡ ଏବଂ ୭୭ ଜିଏମ୍‌ ବିଶିଷ୍ଟ ଜେନେରେଟର ବ୍ୟବହାର କରାଯାଇଛି। ଏହି କାମରେ ତାଙ୍କୁ ପୁଅ ଏବଂ ବନ୍ଧୁ ସାହାଯ୍ୟ କରୁଛନ୍ତି।
ସୂଚନାଯୋଗ୍ୟ, ଉକ୍ତ ହେଲିକପ୍ଟର ତିଆରିରେ ୧.୫୨ ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇସାରିଲାଣି। ଜୁଜୁନ୍‌ କୁହନ୍ତି, ହେଲିକପ୍ଟର ତିଆରି କରିବା ପ୍ରେରଣା ଇଣ୍ଡୋନେସିଆର ଟ୍ୟାକ୍ସି ସଂଘ ପକ୍ଷରୁ ମିଳିଛି। କାରଣ ଜୁଜୁନ୍‌ଙ୍କ ପାଖରେ ଏତେ ଅର୍ଥ ନାହିଁ। ତେଣୁ ଏହି ସଂଘ ପକ୍ଷରୁ ଯାହାକିଛି ଆର୍ଥିକ ସହାୟତା ମିଳୁଛି ସେସବୁ ଏକାଠି କରି ସେ ହେଲିକପ୍ଟର ତିଆରିରେ ଖର୍ଚ୍ଚ କରୁଛନ୍ତି।

Share