ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ ଘୋଡ଼ା ସବାର ପୋଲିସ

ମୁମ୍ବାଇ, ୨୦।୧: ମୁମ୍ବାଇରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସରକାର ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି। ୮୮ ବର୍ଷ ପରେ ପୁଣିଥରେ ଘୋଡ଼ା ସବାର ଟ୍ରାଫିକ୍‌ ପୋଲିସଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିବ। ଶେଷଥର ପାଇଁ ୧୯୩୨ରେ ଘୋଡ଼ା ସବାର ଟ୍ରାଫିକ୍‌ ପୋଲିସଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଥିଲା। ରାସ୍ତାରେ ଅଧିକ ଯାନବାହନ ଯାତାୟତ କରୁଥିବାରୁ ଏହି ବ୍ୟବସ୍ଥାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଚଳିତ ବର୍ଷ ଜାନୁୟାରୀ ୨୬ରେ ସ୍ଥାନୀୟ ଶିବାଜୀ ପାର୍କରେ ଆୟୋଜିତ ହେବାକୁ ଥିବା ପରେଡ଼ରେ ଘୋଡ଼ା ସବାର ଟ୍ରାଫିକ୍‌ ପୋଲିସଙ୍କୁ ଦେଖିବାକୁ ମିଳିବ। ଏହାପରେ ଘୋଡ଼ା ସବାର ଟ୍ରାଫିକ୍‌ ପୋଲିସ ବାହିନୀଙ୍କୁ ମୁତୟନ କରାଯିବ ବୋଲି ମହାରାଷ୍ଟ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅନୀଲ ଦେଶମୁଖ ସୂଚନା ଦେଇଛନ୍ତି। ଦେଶ ସ୍ବାଧୀନ ହେବାପରେ ପ୍ରଥମ ଥର ଲାଗି ୩୦ ଜଣିଆ ଘୋଡ଼ା ସବାର ଟ୍ରାଫିକ୍‌ ପୋଲିସ ବାହିନୀଙ୍କୁ ଟ୍ରାଫିକ୍‌ ନିୟନ୍ତ୍ରଣ କାର୍ଯ୍ୟରେ ଲଗାଯିବ।

Share