ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନାଁରେ ଜନସାଧାରଣଙ୍କୁ ଅତ୍ୟାଚାର: ସୁରେଶ ରାଉତରାୟ

ଭୁବନେଶ୍ୱର,୨।୩(ବ୍ୟୁରୋ): ମାର୍ଚ୍ଚ ୧ ତାରିଖରୁ ମୋଟରଯାନ ଆଇନକୁ କଡ଼ାକଡ଼ି ଲାଗୁ କରାଯାଇଥିବା ବେଳେ ରାଜ୍ୟର ସବୁ ସ୍ଥାନରେ ଧରପଗଡ଼ ଆରମ୍ଭ ହୋଇଯାଇଛି। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଜରିମାନା କରାଯାଉଛି। ତେବେ ଏଭଳି ପରିସ୍ଥିତିରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ନାମରେ ସାଧାରଣ ଲୋକଙ୍କୁ ଅତ୍ୟାଚାର କରାଯାଉଛି ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ପୋଲିସ ଓ ଆର୍‌ଟିଓ ଚାଳକଙ୍କୁ ଯେଉଁଭଳି ବ୍ୟବହାର କରୁଛନ୍ତି, ତାହା ହିଟ୍‌ଲର ଶାସନ ଓ ଇଦ୍‌ ଅମିନ୍‌ ଶାସନଠାରୁ ବଳି ଯାଉଛି। ଗାଡିର କ୍ରୟ ମୂଲ୍ୟଠାରୁ ଅଧିକ ଜରିମାନା ଚାଳକଙ୍କଠାରୁ ଆଦାୟ କରାଯାଉଛି। ରୋଗୀ, ଛାତ୍ର, ପରୀକ୍ଷାର୍ଥୀ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଗାଡିକୁ ଅଟକାଯାଇ ଗାଳିଗୁଲଜ କରିବା ସହ ଥାନାକୁ ଜବରଦସ୍ତ ଗାଡି ନିଆଯାଉଛି। ଏକ ଗଣତନ୍ତ୍ର ରାଷ୍ଟ୍ରରେ ଏହା ସ୍ଫୃହଣୀୟ ନୁହେଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କଠାରୁ ଯେଉଁଭଳି ଜରିମାନା ଆଦାୟ କରୁଛନ୍ତି ତାହା ଜନବିରୋଧୀ ନିଷ୍ପତ୍ତି ବୋଲି ରାଉତରାୟ କହିଛନ୍ତି। ଲୋକେ ବିଜେଡି ଓ ଭାଜପାକୁ ସରକାରରେ ବସାଇଛନ୍ତି। ମାତ୍ର ଏହାପରେ ସେମାନଙ୍କର ଅମାନୁଷିକ କାର୍ଯ୍ୟ ଲୋକଙ୍କୁ ଅତିଷ୍ଠ କଲାଣି ବୋଲି ରାଉତରାୟ କହିଛନ୍ତି।

Share