ଟ୍ରାଫିକ ଜାମ୍‌ରେ ଫସିଲା ୨ ଆମ୍ବୁଲାନ୍ସ : ସାଧାରଣରେ ଅସନ୍ତୋଷ

ଯୋଡ଼ା,୫।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ୫୨୦ନଂ. ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହୋଇ ପଡ଼ୁଥିବା ଦେଖିବାକୁ ମିଳିଛି। ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରାଯାଉଥିବାରୁ ସମସ୍ୟାରେ ସୁଧାର ଆସିପାରୁନାହିଁ। ଏଥିପାଇଁ ଜିଲାପାଳ ଘନଘନ ବୈଠକ କରି ନିର୍ଦ୍ଦେଶ ଦେଉଥିଲେ ହେଁ ଏହାକୁ ପାଳନ କରାଯାଉ ନ ଥିବା ପରିଲକ୍ଷିତ ହୋଇଛି। ଗୁରୁବାର ଅପରାହ୍ନରେ ୫୨୦ନଂ. ଜାତୀୟ ରାଜପଥର ଲହଣ୍ଡାଠାରେ ଟ୍ରାଫିକ୍‌ ସମସ୍ୟା ଅଣାୟତ୍ତ ହୋଇପଡ଼ିଥିଲା। ବାଇକ୍‌ଠାରୁ ଆରମ୍ଭ କରି ଛୋଟ ଯାନବାହନ, ଯାତ୍ରୀବାହୀ ବସ୍‌, ଟ୍ରକ, ଏପରିକି ୨ଟି ଆମ୍ବୁଲାନ୍ସ ମଧ୍ୟ ଜାମ୍‌ରେ ଫସି ରହିଥିଲା। ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭିନ୍ନ ଖଣି କମ୍ପାନୀର ଘରୋଇ ସୁରକ୍ଷାକର୍ମୀଙ୍କୁ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ତଥା ଶୃଙ୍ଖଳିତ ପାଇଁ ନିୟୋଜିତ କରାଯାଇଛି। ହେଲେ ଏହି ଟ୍ରାଫିକ ଜାମ୍‌କୁ ସ୍ଥାନୀୟ ପୋଲିସ ଶୃଙ୍ଖଳିତ କରୁଥିବା ବେଳେ ଉକ୍ତ ନିୟୋଜିତ ଘରୋଇ ସୁରକ୍ଷାକର୍ମୀଙ୍କୁ ସେଠାରେ ଦେଖିବାକୁ ମିଳି ନ ଥିଲା। ଫଳରେ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଟ୍ରାଫିକ ଜାମ୍‌ରେ ଫସି ରହିଥିବା ଯାତ୍ରୀ ଗଣେଶ୍ୱର ମହାକୁଡ଼, ଶମ୍ଭୁନାଥ ନାଏକ, ବଇନ ନାଏକ, ଲିମାରାଣୀ ବେହେରା ପ୍ରମୁଖ ଅଭିଯୋଗ କରିବା ସହ ଜିଲାପାଳ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି।