ଟ୍ରାଫିକ ଜାମ୍‌ରେ ଫସିଲେ: ସ୍କୁଲ ଯାଇ ନ ପାରି ଫାଣ୍ଡିରେ ବସିଲେ ଛାତ୍ରୀଛାତ୍ର

ଯୋଡ଼ା, ୩।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା, ଯୋଡ଼ା, ଭଦ୍ରାସାହି, ବଡ଼ବିଲ ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ପ୍ରଶାସନର ଅବହେଳା ଯୋଗୁ ଏହି ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉକ୍ତ ରାସ୍ତାରେ ଯିବାଆସିବା କରୁଥିବା ଯାତ୍ରୀଙ୍କଠାରୁ ଆରମ୍ଭକରି ରୋଗୀ, ସ୍କୁଲ ଛାତ୍ରୀଛାତ୍ର ଓ ସାଧାରଣ ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି। ଶୁକ୍ରବାର ଏହି ଟ୍ରାଫିକ ସମସ୍ୟା ଲାଗି ରହିଥିଲା। ୫୨୦ ନଂ. ଜାତୀୟ ରାଜପଥର ଭଦ୍ରାସାହିଠାରୁ ଯୋଡ଼ା ମଧ୍ୟରେ ଏହି ଭୟଙ୍କର ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଥିଲା । ଦୀର୍ଘ ୩ ଘଣ୍ଟାଧରି ଏକ ସ୍କୁଲ ବସ୍‌ ଅଟକି ରହିବା ଫଳରେ ଭଦ୍ରାସାହିସ୍ଥିତ ନିଜ ନିଜ ଘରକୁ ଛାତ୍ରୀଛାତ୍ରମାନେ ଯାଇପାରି ନ ଥିଲେ। ଫଳରେ ଭୋକରେ ଆଉଟପାଉଟ ହୋଇ ସେମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଶନିବାର ସକାଳେ ମଧ୍ୟ ସେଇ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ବିଲେଇପଦାଠାରେ ଏତେ ମାତ୍ରାରେ ଟ୍ରାଫିକ ଜାମ୍‌ ସୃଷ୍ଟି ହୋଇଥିଲା ଯେ, ବିଲେଇପଦାରୁ ଯୋଡ଼ା ଡିଏଭି ସ୍କୁଲକୁ ଯାଉଥିବା ଏକ ବସ୍‌ ଜାମ୍‌ରେ ଫସି ରହିବାରୁ ଛାତ୍ରୀଛାତ୍ରମାନେ ସ୍କୁଲରେ ପହଞ୍ଚିପାରି ନ ଥିଲେ। କୌଣସି ଉପାୟ ନ ପାଇ କେତେଜଣ ଅଭିଭାବକ ଛାତ୍ରୀଛାତ୍ରଙ୍କୁ ନେଇ ରାସ୍ତାକଡ଼ରେ ଥିବା ବିଲେଇପଦା ଫାଣ୍ଡିରେ ବସାଇବା ସହ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ପୋଲିସ ପାଖରେ ଅଭିଯୋଗ କରିଥିଲେ। ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦୁଝର ଜିଲାପାଳ, ଚମ୍ପୁଆ ଉପଜିଲାପାଳ, ଯୋଡ଼ା, ବାମେବାରୀ, ରୁଗୁଡ଼ି, ବିଲେଇପଦା, ବଡ଼ବିଲ ପ୍ରଭୃତି ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ ସହିତ ବାରମ୍ବାର ବୈଠକ କରୁଥିଲେ ହେଁ ଏହାର ସମାଧାନ ହୋଇପାରୁ ନାହିଁ । ସମାଧାନ କେବଳ ପୋଲିସ କରିପାରିବ, କିନ୍ତୁ ପୋଲିସର ଅବହେଳା ଯୋଗୁ ସମସ୍ୟା ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଥିବା ଜାମ୍‌ରେ ଫସିଥିବା ବସ୍‌ଯାତ୍ରୀ ଶ୍ରୀକାନ୍ତ ପାଢ଼ୀ, ଦାସରଥି ମହାରଣା, ରାଜକିଶୋର ପୃଷ୍ଟି, ସନ୍ଦୀପ ଜେନା, ବିପିନ ପାତ୍ର ପ୍ରମୁଖ କହିଛନ୍ତି।

Share