ଟ୍ରାଫିକ ଡ୍ୟୁଟିବେଳେ ଫୋନ୍‌ରେ ଗପିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଅନେକ ସମୟରେ ଟ୍ରାଫିକ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମୋବାଇଲ୍‌ ଫୋନ୍‌ରେ ଗପୁଥିବା ନଜିର ରହିଛି। ଏଭଳି ଅବହେଳାକୁ ନେଇ ବାରମ୍ବାର ଅଭିଯୋଗ ମଧ୍ୟ ଉଠିଛି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହାକୁ ଗୁରୁତର ସହିତ ଗ୍ରହଣ କରିବା ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଣିକି ଡ୍ୟୁଟି ସମୟରେ ଟ୍ରାଫିକ କର୍ମଚାରୀମାନେ ଫୋନ୍‌ରେ ଗପିଲେ ବା କୌଣସି ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ଟ୍ରାଫିକ ଏସିପି ଏବଂ ଥାନା ଅଧିକାରୀଙ୍କୁ ମଧ୍ୟ ତାଗିଦ୍‌ କରାଯାଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜଧାନୀର ସବୁ ଟ୍ରାଫିକ ଥାନାରେ ନୂଆ ନିର୍ଦ୍ଦେଶ ସଂକ୍ରାନ୍ତରେ ନୋଟିସ ଲଗାଯାଇଛି। ବାରମ୍ବାର ତାଗିଦ ସତ୍ତ୍ୱେ କର୍ମଚାରୀମାନେ ଡ୍ୟୁଟି ସମୟରେ ମୋବାଇଲ୍‌ ଫୋନ୍‌ରେ କଥାବାର୍ତ୍ତା ହେଉଛନ୍ତି। ଏହା ସାଧାରଣ ନାଗରିକ ଏବଂ ବରିଷ୍ଠ ଅଧିକାରୀଙ୍କ ନଜରକୁ ଆସିଛି। କାମରେ ମନ ନ ଦେଇ ଫୋନ୍‌ରେ ଗପିବା ଦାୟିତ୍ୱହୀନତା, ବେପରୁଆ ପଣ ଓ ଶୃଙ୍ଖଳତାର ଅଭାବକୁ ଦର୍ଶାଉଛି। ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି।

Share