ଟ୍ରାଫିକ ନିୟମକୁ ନେଇ ମୁହଁ ଖୋଲିଲେ ସୁର, ଜବାବ ରଖିଲେ ପଦ୍ମନାଭ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍‌ଟିଓ କର୍ମଚାରୀ ଲୋକଙ୍କ ଉପରେ ଜୁଲୁମ୍‌ କରିଛନ୍ତି। ଟ୍ରାଫିକ ନିୟମ ପାଇଁ କଡ଼ା ଜରିମାନା ଆଦାୟକୁ ଦୃଢ଼ ବିରୋଧକରି କଂଗ୍ରେସ ନେତା ସୁର ରାଉତରାୟ ସୋମବାର ଏପରି କହିଛନ୍ତି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ମନ୍ତ୍ରୀ, ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବନ୍ଦ କରିବାକୁ ସେ ଦାବି କରିଛନ୍ତି। ତୁରନ୍ତ ଏପରି ଜୁଲୁମ ବନ୍ଦ ନ ହେଲେ ରାଜ୍ୟବ୍ୟାପୀ ଆରଟିଓ ଅଫିସ, କମିଶନରେଟ ପୋଲିସ ଅଫିସ ଓ କେନ୍ଦ୍ର ସରକାରଙ୍କ ଅଫିସ ଘେରାଉ କରାଯିବ ବୋଲି ସେ ଧମକ ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫାଇନ ହ୍ରାସ କରାଯାଇଥିବାରୁ ଓଡ଼ିଶାରେ ଏହାକୁ ଅନୁସରଣ କରାଯାଉ ବୋଲି ସୁର କହିଛନ୍ତି। ଅପରପକ୍ଷେ ନିୟମ ମାନିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ସୁର ଆହୁରି କହିଛନ୍ତି, ବେକାରି ବଢ଼ିଛି, ନିଯୁକ୍ତି ନାହିଁ। ଧମକ ଦେଇ ଟଙ୍କା ଆଦାୟ ଚାଳିବନି।
ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ସରକାରୀ କର୍ମଚାରୀ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି। ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଲୋକଙ୍କ ଧନଜୀବନ ରକ୍ଷା ସରକାରଙ୍କ ଦାୟିତ୍ୱ। ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା ୫୦ ପ୍ରତିଶତ କମିଛି। ସମସ୍ତେ ନିୟମ ମାନିବା ଦରକାର ବୋଲି ପଦ୍ମନାଭ କହିଛନ୍ତି।

Share