ଟ୍ରାଫିକ ନିୟମ ଭାଙ୍ଗିଲେ ନାବାଳକ: ୬ହଜାର ଜରିମାନା ଦେଲେ ବାପା

କଟକ ଅଫିସ,୨।୧୨:  ପୁଣି ଥରେ ଆରମ୍ଭ ହୋଇଛି ସଂଶୋଧିତ ମୋଟର ଯାନ ଆଇନର ୧୦ଟି ନିୟମ। ଏ ନେଇ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଛି। ତେବେ ମଧୁପାଟଣା ନିକଟରେ ରବିବାର ଗାଡିମୋଟର ଯାଞ୍ଚବେଳେ ଜଣେ ନାବାଳକ ବାଇକ ଚଳାଇ ଧରାପଡିଥିବା ଜଣାପଡିଛି। ନାବାଳକ ଜଣଙ୍କ ବେଳେ ବିନା ହେଲ୍‌ମେଟ୍‌ରେ ଏବଂ ମୋବାଇଲରେ କଥା ହୋଇ ବାଇକ ଚଲାଉଥିଲେ। ଟ୍ରାଫିକ ପୋଲିସ ତାଙ୍କୁ କାବୁକରି ତାଙ୍କ ବାପାଙ୍କୁ ଖବର ଦେଇଥିଲା। ନାବାଳକଙ୍କ ବାପା ଟ୍ରାଫିକ ଥାନାକୁ ଆସିଥିଲେ। ତାଙ୍କ ପୁଅ ୧୮ ବର୍ଷରୁ କମ୍‌ ବୟସରେ ବାଇକ ଚଲାଇବା, ବିନା ହେଲମେଟ୍‌ ଓ ବାଇକ ଚଲାଇବା ସମୟରେ ମୋବାଇଲରେ କଥା ହେବା ଭଳି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ୬ ହଜାର ଟଙ୍କାର ଜରିମାନା ଦେଇଥିଲେ। ସେହିପରି ମଧୁପାଟଣା ଛକରେ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଧରାପଡିଥିବା ଜଣେ ଯୁବତୀଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ୍‌ ନ ପିନ୍ଧିବାକୁ ନେଇ ଯୁବତୀ ଜଣକ ଅନେକ ସମୟ ଧରି ଟ୍ରାଫିକ ପୋଲିସ ସହ ଯୁକ୍ତି କରିଥିଲେ। ଏପରି କି ମୁଁ ହେଲ୍‌ମେଟ୍‌ ପିନ୍ଧେନି କି ପିନ୍ଧିବି ନାହିଁ ବୋଲି କହିଥିଲେ। ଗାଡି ନେଇଯାଅ କିନ୍ତୁ ମୁଁ ଫାଇନ ଦେବିନାହିଁ। ମୁଁ ମଲେ କ’ଣ ପୋଲିସ ଦାୟୀ ରହିବ କି ବୋଲି ଓଲଟି ପ୍ରଶ୍ନ କରିଥିଲେ। ଅନେକ ସମୟ ଯୁକ୍ତିତର୍କ ପରେ ଶେଷରେ ଯୁବତୀ ଜରିମାନା ଦେଇଥିଲେ।

Share